ପ୍ରଶ୍ନ ପଚାର ନାହିଁ, ବିରୋଧ ପ୍ରଦର୍ଶନ କରନାହିଁ, ନୂଆ ଭାରତରେ ନିଜର ହକ ମାଗିଲେ ଗିରଫ ହେବ : ରାହୁଲ ଗାନ୍ଧୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧି ପୁଣି କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି । ଏଥର ବେରୋଜଗାରୀକୁ ପ୍ରମୁଖ ମୁଦ୍ଦାକରି ପୁଣି ମୋଦି ସରକାରକୁ କାଠଗଡାକୁ ଟାଣିଛନ୍ତି ରାହୁଲ ଗାନ୍ଧି । କେବଳ ସେତିକି ନୁହେଁ ମହଙ୍ଗା ମାଡ ସହିତ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ବି କେନ୍ଦ୍ରକୁ ଟାର୍ଗେଟ୍‌ କରିଛନ୍ତି ରାହୁଲ ।ରାହୁଲ ଗାନ୍ଧି କହିଛନ୍ତି, ‘ଦେଶର କୋଟି କୋଟି ଯୁବକଙ୍କୁ ବେରୋଜଗାର କରାଇଛନ୍ତି କେନ୍ଦ୍ର ସରକାର । ସରକାରଙ୍କ ପ୍ରତିଶ୍ରୁତି କେବଳ ପାଣିର ଗାରରେ ପରିଣତ ହୋଇଛି । ନୂଆ ଭାରତରେ ଯଦି କେହି ହକ୍‌ ମାଗୁଛନ୍ତି ତେବେ ସେମାନଙ୍କୁ ଗିରଫ କରାଯିବ । କେନ୍ଦ୍ରର ତାନାଶାହ ଶାସନ ଯୁବପିଢିଙ୍କ ଭବିଷ୍ୟତ ଉଜାଡୁଛି ‘।

ଜଣେ ଛାତ୍ରୀଙ୍କ ଭିଡିଓ ସେୟାର କରି ଟୁଇଟରରେ ଏଭଳି କହିଛନ୍ତି ରାହୁଲ ଗାନ୍ଧି ।ଟ୍ବିଟ୍‌ କରି କଂଗ୍ରେସ ସାଂସଦ କହିଛନ୍ତି, ‘ପ୍ରଶ୍ନ କରନ୍ତୁ ନାହିଁ, ସ୍ବର ଉଠାନ୍ତୁ ନାହିଁ, ଶାନ୍ତିପୂର୍ଣ୍ଣ ଭାବେ ପ୍ରଦର୍ଶନ ବି କରନ୍ତୁନି । ନୂଆ ଭାରତରେ ଯଦି ନିଜର ହକ୍‌ ମାଗିବେ ତେବେ ଗିରଫଦାରୀ ହେବା ସୁନିଶ୍ଚିତ। ଯୁବ ବର୍ଗଙ୍କୁ ବେକାରୀ କରି କୋଟି କୋଟି ପରିବାରର ଆଶାକୁ ଧୂଳିସାତ୍‌ କରୁଛି ତାନାଶାହ ସରକାର’।

ପୂର୍ବରୁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ବୃଦ୍ଧିକୁ ନେଇ ମଧ୍ୟ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଥିଲେ ରାହୁଲ ଗାନ୍ଧି । କହିଥିଲେ, ଦେଶ ଏବେ ନିରାଶର ଗର୍ତ୍ତରେ ଡୁବି ଯାଇଛି । ଟ୍ବିଟ କରି ରାହୁଲ ଲେଖିଥିଲେ, ‘ଅବ୍‌ କି ବାର୍‌ ୮୦ ପାର୍‌’। ଏହା ସହିତ ବେରୋଜଗାରୀ ଓ ମହ‌ଙ୍ଗା ମାଡକୁ ନେଇ ମଧ୍ୟ କେନ୍ଦ୍ରର ମୋଦି ସରକାରଙ୍କୁ ସମାଲୋଚନା କରିଥିଲେ ରାହୁଲ ଗାନ୍ଧି ।

Related Posts