ମାଲକାନଗିରିରେ ଅଜଣା ରୋଗ ଆତଙ୍କ: ଅନୁଧ୍ୟାନ ପାଇଁ ପହଞ୍ଚିଲେ ସ୍ୱତନ୍ତ୍ର ଡାକ୍ତରୀ ଦଳ

ମାଲକାନଗିରି: ମାଲକାନଗିରି ବାସୀଙ୍କୁ ଘାରିଛି ଏବେ ଅଜଣା ରୋଗ ଆତଙ୍କ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତ କିଛି ମାସ ହେବ ଅଜଣା ରୋଗ ବ୍ୟାପିବାରେ ଲାଗିଛି, ଏଥିସହ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ମାଥିଲି ବ୍ଲକ ହଲଦୀକୁଣ୍ଡ ଗାଁରେ ଅଜଣା ରୋଗ ବ୍ୟାପି ସରକାରୀ ଭାବେ ୯ଜଣଙ୍କର ଓ ବେସରକାରୀ ଭାବେ ୧୩ଜଣଙ୍କର ମୃତ୍ୟୁ ଘଟିଥିଲା । ସେତେବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହା ଅପମିଶ୍ରିତ ଦେଶୀ ମଦ୍ୟ ପାନ କରି ହୋଇଥିବା ସଫେଇ ଦେଇଥିଲେ।

ପୁଣି ଏବେ ପଡିଆ ବ୍ଲକ ବାପନ ପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଆଦର୍ଶ ସିଲାକୋଟା ଆଦିବାସୀ ଗାଁରେ ଅଜଣା ରୋଗର ଆତଙ୍କ ଦେଖାଦେଇଛି । ଗତ ୬ମାସ ମଧ୍ୟରେ ବେସରକାରୀ ଭାବେ ପ୍ରାୟ ୩୦ଜଣରୁ ଊର୍ଦ୍ଧ୍ବ ଲୋକଙ୍କ ଅଜଣା ରାଗରେ ଆକ୍ରାନ୍ତ ହୋଇ ସେମାନଙ୍କ ମୃତୁ ଘଟିଥିବା ଗ୍ରାମବାସୀ କହୁଥିବାବେଳେ ସରକାରୀ ଭାବେ ୧୧ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ।

ସିଲା କୋଟା ଗାଁରେ ଥମିବାର ନା ଧରୁ ନାହିଁ ଏହି ଅଜଣା ରୋଗ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆକ୍ରାନ୍ତଙ୍କ ଗୋଡ଼ ହାତ ଫୁଲିଯାଇ ଜ୍ଵର ହେଉଛି, ପେଟ ଯନ୍ତ୍ରଣା ହୋଇ କିଛି ଦିନ ପରେ ମୃତ୍ୟୁ ଘଟୁଥିବା ଗ୍ରାମବାସୀ କହିଛନ୍ତି । ଏହି ଗାଁରେ ୧୦୫ଟି ଆଦିବାସୀ ପରିବାର ବସବାସ କରନ୍ତି । ମୋଟ ଜନସଂଖ୍ୟା ୫୩୬ଜଣ ଥିବାବେଳେ ପୁରୁଷ ୨୫୫ ଓ ମହିଳା ୨୮୧ଜଣ ଅଛନ୍ତି । ଏକଦା ଏହି ଦୁଗର୍ମ ପାହାଡିଆ ଅପହଞ୍ଚ ଇଲାକା ମାଓଗଡ଼ ଭାବେ ପରିଚିତ ଥିଲା । ଏବେ ସେଠାରୁ ମାଓମୁକ୍ତ ହୋଇ ଆଦର୍ଶ ଗାଁ ଭାବେ ଘୋଷଣା କରାଯାଇଛି । ହେଲେ ସ୍ୱାସ୍ଥ୍ୟ ସେବା ସେଠାରେ ବିପର୍ଯ୍ୟସ୍ଥ ହୋଇପଡିଛି ।

ଆଜି ସେହି ଗାଁକୁ ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଆଡ଼ମା ରାବା, ପଡ଼ିଆ ବ୍ଲକ ନିର୍ବାଚିତ ଲୋକପ୍ରତିନିଧିମାନେ ପହଞ୍ଚି ଆକ୍ରାନ୍ତଙ୍କୁ ଭେଟି ସ୍ୱାସ୍ଥ୍ୟସେବା ପ୍ରତି ଗୁରୁତ୍ୱ ଦେଇଛନ୍ତି । ଗତ ତିନିଦିନ ହେବ ସିଲାକୋଟା ଗାଁରେ ଦଣ୍ଡକାରଣ୍ୟ ପାର୍ବତ୍ୟମାଳା ଉନ୍ନୟନ ସମିତିର ମାଲକାନଗିରି ଜିଲ୍ଲା ସଭାପତି ଲଳିତ ନାରାୟଣ ମାଡକାମୀ ଡେରା ପକାଇ ଗ୍ରାମବାସୀଙ୍କୁ ହସ୍ପିଟାଲ ପଠାଇବା ଓ ଗୁଣିଆ ଦିଶାରୀଙ୍କ ନିକଟକୁ ନ ଯିବା ପାଇଁ ପରାମର୍ଶ ଦେଉଛନ୍ତି।

Related Posts