
ନୂଆଦିଲ୍ଲୀ: ଆମେରିକା ନିମ୍ନ ସଦନ ହାଉସ୍ ଅଫ ରିପ୍ରେଜେଣ୍ଟେଟିଭଙ୍କ ବାଚସ୍ପତି ନାନସୀ ପେଲୋସୀଙ୍କ ସ୍ୱାମୀ ପଲ ପେଲୋସୀଙ୍କ ଉପରେ ଦୁର୍ବୃତ୍ତ ମାନେ ଶୁକ୍ରବାର ମରଣାନ୍ତକ ଆକ୍ରମଣ କରିଛନ୍ତି । ଏନେଇ ପେଲୋସୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବୟାନ ଜାରି କରାଯାଇଛି।
ବୟାନ ଅନୁସାରେ ଦମ୍ପତ୍ତିଙ୍କ ସାନଫ୍ରାନସିସ୍କୋ ସ୍ଥିତ ବାସଭବନରେ ଭଙ୍ଗାରୁଜା ପରେ ଦୁର୍ବୃତ୍ତ ପଲଙ୍କୁ ମାରପିଟ କରିଛନ୍ତି।
ପୂର୍ବାହ୍ନରେ ହୋଇଥିବା ଏହି ଆକ୍ରମଣରେ ୮୨ ବର୍ଷ ବୟସ୍କ ପଲ ଗୁରୁତର ଆହତ ହୋଇଛନ୍ତି।
ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି। ତେବେ କିଏ ଓ କାହିଁକି ପଲ ପେଲୋସୀଙ୍କ ଉପରେ ଏପରି ଅମାନବୀୟ ଆକ୍ରମଣ କଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। ପଲ ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ତାଙ୍କୁ ଲାଗିଥିବା ଆଘାତ ଏତେ ଗୁରୁତର ନୁହେଁ ଓ ସେ ଶୀଘ୍ର ଠିକ୍ ହୋଇଯିବେ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି। ସାନଫ୍ରାନସିସ୍କୋ ଘର ଉପରେ ଆକ୍ରମଣ କାଳରେ ବାଚସ୍ପତି ନାନ୍ସୀ ପେଲୋସୀ ୱାସିଂଟନରେ ଥିଲେ। ଘରେ ପଲଙ୍କୁ ଏକାକୀ ପାଇ ଦୁର୍ବୃତ୍ତ ତାଙ୍କ ଉପରେ ଅମାନବୀୟ ଆକ୍ରମଣ କରିଛି।
ତେବେ ଆକ୍ରମଣକାରୀ ଘରକୁ କିପରି ପଶିଲା ପୋଲିସ ତାର ତଦନ୍ତ କରୁଛି। ଉଲ୍ଲେଖଯୋଗ୍ୟ ଯେ ନାନ୍ସୀ ପେଲୋସୀଙ୍କ ଘର ଉପରେ ଏହି ଆକ୍ରମଣ ଏପରି ଏକ ସମୟରେ ହୋଇଛି ଯେତେବେଳେ ନାନସୀ ପାଲୋସୀଙ୍କ ମଧ୍ୟାବଧି ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନରେ ପେଲୋସୀଙ୍କ ସିନେଟ ଓ ସଦନ ନିୟନ୍ତ୍ରଣ ବାଜିରେ ଲାଗିଛି। ପଲ ସାନଫ୍ରାନସିସ୍କୋରେ ଏକ ରିଏଲ ଇଷ୍ଟେଟ୍ ଓ ଭେଞ୍ଚର କ୍ୟାପିଟାଲ ଫାର୍ମ ଚଳାଉଛନ୍ତି।