ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଧୀରେ ଧୀରେ ମହାମାରୀ ରୂପ ନେଉଛି ଅଜଣା ରୋଗ । ସପ୍ତାହକ ମଧ୍ୟରେ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଲାଣି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ହଳଦୀକୁଣ୍ଡରେ । ଏଠାରେ ଆତଙ୍କ ସୃଷ୍ଟି କରିବାରେ ଲାଗିଛି ଅଜଣା ରୋଗ । ଗୋଡ଼ ହାତ ଫୁଲିଯିବା ସହ ହଠାତ ଜ୍ୱର ହୋଇ ମୃତ୍ୟୁ ହେଉଥିବା ଜଣାପଡ଼ିଛି ।ଏବେ ମଧ୍ୟ ଗାଁରେ ପାଖାପାଖି ୧୦ ଜଣ ଏହି ରୋଗରେ ଆକ୍ରାନ୍ତ ରହିଛନ୍ତି । ହେଲେ ଅନ୍ଧବିଶ୍ବାସର ବଶବର୍ତ୍ତି ହୋଇ ଡାକ୍ତରଖାନା ପରିବର୍ତ୍ତେ ଗୁଣିଆ ପାଖରେ ଝଡ଼ାଫୁଙ୍ଖାର ଆଶ୍ରୟ ନେଉଛନ୍ତି ଗ୍ରାମବାସୀ ।
ଟକଲିଗୁଡ଼ା, ବାମନଗୁଡ଼ା ଗାଁରେ ମଧ୍ୟ ଏହି ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି ଗାଁ ଲୋକ । ତେବେ ଏନେଇ ସ୍ବାସ୍ଥ୍ୟ ବିଭାଗ ତନାଘନା ଆରମ୍ଭ କରିଛି। ପ୍ରାଥମିକ ଭାବେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ପହଞ୍ଚି ଲୋକଙ୍କୁ ବୁଝାଇ ୪ଜଣଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ନେବାରେ ସଫଳ ହୋଇଛି । ସମସ୍ତଙ୍କ ରକ୍ତନମୂନା ସଂଗ୍ରହ କରି ଘଟଣାର ତଦନ୍ତ କରୁଛି ସ୍ବାସ୍ଥ୍ୟବିଭାଗ । ତେବେ ଅସ୍ବାସ୍ଥ୍ୟକର ପରିବେଶ ଯୋଗୁଁ ଏବଂ ବିଷାକ୍ତ ମଦ ଯୋଗୁଁ ମୃତ୍ୟୁ ହେଉଥିବା ସନ୍ଦେହ କରାଯାଉଛି ।
