
ଭୁବନେଶ୍ଵର,୩୦/୧୨(ସତ୍ୟପାଠ ବ୍ୟୁରୋ): କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀଙ୍କ ନେତୃତ୍ୱରେ ଜାରି ରହିଥିବା ‘ଭାରତ ଯୋଡ଼ୋ ଯାତ୍ରା’ରେ ଯୋଗ ଦେବା ପାଇଁ ଆମେଠିର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଜଣେ ସ୍ଥାନୀୟ କଂଗ୍ରେସ ନେତା ନିମନ୍ତ୍ରଣ ପତ୍ର ପଠାଇଥିବା ଜଣାପଡ଼ିଛି। ଆସନ୍ତା ଜାନୁଆରି ୩ ତାରିଖରେ ଗାଜିଆବାଦ ଦେଇ ‘ଭାରତ ଯୋଡ଼ୋ ଯାତ୍ରା’ ଉତ୍ତର ପ୍ରଦେଶରେ ପ୍ରବେଶ କରିବ।
ଏଥିପାଇଁ ଗୁରୁବାର ଦିନ କଂଗ୍ରେସ ନେତା ଦୀପକ ସିଂହ ଆମେଠିର ‘ବିଜେପି’ ସାଂସଦ ସ୍ମୃତି ଇରାନୀଙ୍କ ସହକାରୀ ବ୍ୟକ୍ତିଗତ ସଚିବ ନରେଶ ଶର୍ମାଙ୍କୁ ଉକ୍ତ ନିମନ୍ତ୍ରଣ ପତ୍ର ଦେଇ ‘ଭାରତ ଯୋଡ଼ୋ ଯାତ୍ରା’ରେ ଭାଗ ନେବାକୁ ଇରାନୀଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି।
ଏନେଇ ପୂର୍ବତନ କାଉନ୍ସିଲ୍ ସଦସ୍ୟ ଦୀପକ ସିଂହ କହିଛନ୍ତି ଯେ, ‘ଭାରତ ଯୋଡ଼ୋ ଯାତ୍ରା’କୁ ଆପଣମାନଙ୍କୁ ନିମନ୍ତ୍ରଣ କରିବା ଲାଗି ଦଳର ବରିଷ୍ଠ ନେତାମାନଙ୍କଠାରୁ ନିର୍ଦେଶ ପାଇଛି। ତେଣୁ, ମୁଁ ଭାବିଲି ସର୍ବ ପ୍ରଥମେ ଆମେଠି ସାଂସଦ ସ୍ମୃତି ଜୁବିନ୍ ଇରାନୀଙ୍କୁ ନିମନ୍ତ୍ରଣ ପତ୍ର ପଠାଯିବା ଉଚିତ। ଡିସେମ୍ବର ୨୮ ତାରିଖ ଦିନ ଗୌରୀଗଞ୍ଜରେ ଥିବା ତାଙ୍କ କ୍ୟାମ୍ପ୍ ଅଫିସ୍ରେ ପହଞ୍ଚି ନରେଶ ଶର୍ମାଙ୍କୁ ନିମନ୍ତ୍ରଣ ପତ୍ର ଦେଇଛି। ସେ ମୋ ନିମନ୍ତ୍ରଣ ପତ୍ର ଗ୍ରହଣ କରି ଏହାକୁ ସାଂସଦ ଇରାନୀଙ୍କୁ ଦେବେ ବୋଲି କହିଛନ୍ତି ।
ତେବେ ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ‘ବିଜେପି’ ଜିଲ୍ଲା ସଭାପତି ଦୁର୍ଗେଶ ତ୍ରିପାଠୀ କହିଛନ୍ତି ଯେ, ନିମନ୍ତ୍ରଣ କରିବା ତାଙ୍କର କର୍ତ୍ତବ୍ୟ। ‘ବିଜେପି’ ସଦାସର୍ବଦା ଅଖଣ୍ଡ ଭାରତ ଧାରାରେ କାର୍ଯ୍ୟ କରେ। ଭାରତ ଖଣ୍ଡବିଖଣ୍ଡିତ ହୋଇ ନ ଥିବାବେଳେ ‘ଯୋଡ଼ିବା’ କଥା ଉଠୁଛି କାହିଁକି ? ଯାହା ଭାଙ୍ଗିଯାଏ ତାହା ଯୋଡ଼ାହୁଏ। ମୁମୂର୍ଷୂ କଂଗ୍ରେସ ପାର୍ଟିର ପୁନଃଜାଗରଣ ଲାଗି ରାହୁଲ୍ ଗାନ୍ଧୀ ଯାତ୍ରା କରୁଛନ୍ତି, କିନ୍ତୁ ତାହାର ନାଁ ‘ଭାରତ ଯୋଡ଼ୋ ଯାତ୍ରା’ ଦିଆଯାଇଛି।
ସୂଚନାଯୋଗ୍ୟ, ୩ ଥର ଆମେଠିର ସାଂସଦ ଥିବା ରାହୁଲ୍ ଗାନ୍ଧୀଙ୍କୁ ଗତ ୨୦୧୯ ଲୋକସଭା ନିର୍ବାଚନରେ ସ୍ମୃତି ଇରାନୀ ଏଠାରେ ପରାସ୍ତ କରିଥିଲେ। ତେବେ ରାହୁଲ ଗାନ୍ଧୀ ଏବେ କେରଳର ୱାଇନାଡ଼ ଲୋକସଭା ଆସନରୁ ସଂସଦ ରହିଛନ୍ତି।