ୟୁପିର ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀକୁ ଆଜୀବନ ଜେଲ ଦଣ୍ଡ

ଭୁବନେଶ୍ୱର,୫/୬(ସତ୍ୟପାଠ ବ୍ୟୁରୋ): ଏବେ ଜେଲରେ ଥିବା ଉତ୍ତରପ୍ରଦେଶର ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀଙ୍କୁ ଆଜି ବାରାଣସୀ କୋର୍ଟ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ୩୨ ବର୍ଷ ତଳର ଏକ ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ଅନସାରୀଙ୍କୁ ଆଜି ଏହି ଦଣ୍ଡ ବିଧାନ କରିଛନ୍ତି କୋର୍ଟ।

ତାଙ୍କ ଉପରେ ୧ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଲଗାଯାଇଛି । ଅନସାରୀଙ୍କ ନାଁରେ ମୋଟ ୬୧ଟି ଅପରାଧିକ ମାମଲା ରୁଜୁ ହୋଇଥିବା ବେଳେ ୬ଷ୍ଠ ଘଟଣାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏବେ ବି ଅନ୍ୟ ୨୦ଟି ମାମଲାର ବିଚାର ପ୍ରକ୍ରିୟା ୟୁପିର ବିଭିନ୍ନ କୋର୍ଟରେ ଚାଲିଛି।

ସୂଚନା ଅନୁସାରେ, ୧୯୯୧ରେ ଜଣେ କଂଗ୍ରେସ ନେତାଙ୍କ ହତ୍ୟା ଘଟଣାରେ ଅନସାରୀ ସାମିଲ ଥିଲେ। ସେତେବେଳେ ଅନସାରୀ ନୂଆ ନୂଆ ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିଲେ। ୧୯୯୧ ମସିହା ଅଗଷ୍ଟ ୩ ତାରିଖରେ କଂଗ୍ରେସ ନେତା ତଥା ପୂର୍ବତନ କଂଗ୍ରେସ ବିଧାୟକ ଅଜୟ ରାୟଙ୍କ ଅୱାଦେଶ ରାୟଙ୍କୁ ବାରାଣସୀରେ ଗୁଳି କରି ହତ୍ୟା କରାଯାଇଥିଲା। ଏହା ପଛରେ ଅନସାରୀ ରହିଥିବା ଅଭିଯୋଗ ହୋଇଥିଲା। ଅନସାରୀ ଏହି ସମୟରେ ବିଧାୟକ ମଧ୍ୟ ହୋଇ ନଥିଲେ। ଅଜୟ ରାୟ ଦେଇଥିବା ଏଫଆଇଆରରେ ମୁଖତାର ଅନସାରୀ, ଭୀମ ସିଂହ, ପୂର୍ବତନ ବିଧାୟକ ଅବଦୁଲ କଲିମ ଓ ଅନ୍ୟ ଦୁଇ ଜଣଙ୍କ ନାଁ ଉଲ୍ଲେଖ କରିଥିଲେ। ତେବେ ଦୀର୍ଘ ବର୍ଷର ଶୁଣାଣି ପରେ ଆଜି ଅନସାରୀଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଅନସାରୀଙ୍କୁ ଏପ୍ରିଲ ମାସରେ ଗୋଟିଏ ଅପହରଣ ଓ ହତ୍ୟା ମାମଲାରେ ୧୦ ବର୍ଷ ଜେଲ ଦଣ୍ଡ ମିଳିଥିଲା। ତାଙ୍କ ନାଁରେ ଜମି ଦଖଲ, ହତ୍ୟା ଓ ଲୁଟ ଭଳି ଏକାଧିକ ମାମଲା ରହିଛି। ଅନସାରୀ ୧୯୯୬,୨୦୦୨, ୨୦୦୭, ୨୦୧୨ ଓ ୨୦୧୭ ମସିହାରେ ନିର୍ବାଚନ ଜିତିଥିଲେ। ୨୦୦୭ରୁ ୨୦୧୭ ନିର୍ବାଚନ ସେ ଜେଲରେ ରହି ଜିତିଛନ୍ତି। ୨୦୨୨ରେ ଅନସାରୀଙ୍କ ଗଡ଼ ଭାବେ ପରିଚିତ ମାଉ ସଦରରେ ତାଙ୍କ ପୁଅ ଆବାସ ଅନସାରୀ ଏସବିଏସ୍‌ପିରୁ ପ୍ରାର୍ଥୀ ହୋଇଥିଲେ। ବାପାଙ୍କ ଭଳି ସେ ମଧ୍ୟ ନିର୍ବାଚନ ଜିତିଛନ୍ତି।

Related Posts