ବିଧାନସଭାରେ ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ ଉଠାଇ ବିରୋଧୀଙ୍କ ହଙ୍ଗାମା; ମନ୍ତ୍ରୀ କହିଲେ, ଆମ ପାଖରେ ପ୍ରଶ୍ନପତ୍ର ଲିକ୍ ତଥ୍ୟ ନାହିଁ

ଭୁବନେଶ୍ୱର,୨୦/୩(ସତ୍ୟପାଠ ବ୍ୟୁରୋ): ଆଜି ବିଧାନସଭା ପ୍ରଶ୍ନକାଳରେ ପୁଣି ଉଠିଲା ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ । ସୋମବାର ବିରୋଧୀ ଦଳ ନେତାମାନେ ଗୃହରେ ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ ଉଠାଇବା ସହିତ ଜୋରଦାର ହଟ୍ଟଗୋଳ କରିଛନ୍ତି । ଫଳରେ ଗୃହକୁ ବାଚସ୍ପତି ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି ।

ଆଜି ପ୍ରଶ୍ନକାଳରେ ବିଜେପି ପକ୍ଷରୁ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ ହୋଇଥିବା ଅଭିଯୋଗ କରାଯାଇଥିଲା । ଏନେଇ ଗୃହରେ ଭାଇରାଲ ହେଉଥିବା ପ୍ରଶ୍ନପତ୍ରର ଫଟୋ ଦେଖାଇ, ପିଲାଙ୍କ ଭବିଷ୍ୟତ ସହ ସରକାର ଖେଳ ଖେଳୁଛନ୍ତି ବୋଲି ଗୃହରେ ନାରାବାଜି କରିଥିଲେ ବିଜେପି ସଦସ୍ୟ । ଏନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଗୃହରେ ହଟ୍ଟଗୋଳ କରିଥିଲେ ବିରୋଧୀ ବିଜେପି ସଦସ୍ୟ । ତେବେ ବିଜେପି ସଦସ୍ୟଙ୍କ ସହ କଂଗ୍ରେସ ସଦସ୍ୟମାନେ ମଧ୍ୟ ଯୋଗ ଦେଇ ଗୃହ ମଧ୍ୟ ଭାଗରେ ନାରାବାଜି କରିଥିଲେ । ଏହାପରେ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି କରିଛନ୍ତି ବାଚସ୍ପତି ।

ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଛନ୍ତି, ଆଜି ସକାଳ ୭ଟା ୨୦ରେ ପୁରୀ ଜିଲ୍ଲାରେ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ ହୋଇଛି । ପିଲାଙ୍କ ଭବିଷ୍ୟତ ସହିତ ସରକାର ଖେଳ ଖେଳୁଛନ୍ତି । ବାରମ୍ବାର ପରୀକ୍ଷା ପ୍ରଶ୍ନପତ୍ର ଲିକ ହେଉଥିବାରୁ ବିରୋଧୀ ଦଳ ମୁଖ୍ୟ ସଚେତକ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ।

ଅନ୍ୟପଟେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ସେ କହିଛନ୍ତି, କୌଣସି ବି ପ୍ରଶ୍ନପତ୍ର ଲିକ୍ ହୋଇନି । ପୂର୍ବରୁ ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ ଏହା ମୁଦ୍ରଣ ଜନିତ ତ୍ରୁଟି । ଛାତ୍ରଛାତ୍ରୀ କି ଅଭିଭାବକ ବ୍ୟସ୍ତ ହେବା ଦରକାର ନାହିଁ । ମାର୍କିଂ ସମୟରେ ପିଲାମାନଙ୍କ ସ୍ୱାର୍ଥକୁ ଦେଖାଯିବ ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ଯେଉଁ ସକାଳ ୭ଟା ୨୦ରେ ପୁରୀ ଜିଲ୍ଲାରେ ପ୍ରଶ୍ନପତ୍ର ଲିକ୍ କଥା ବିରୋଧୀ କହୁଛନ୍ତି, ସେ ତଥ୍ୟ ଆମ ପାଖରେ ନାହିଁ । ଏ ନେଇ ବୋର୍ଡ ସଭାପତି, ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ, ପୁରୀ ଜିଲ୍ଲାପାଳଙ୍କ ସହ ମନ୍ତ୍ରୀ କଥା ହୋଇଛନ୍ତି, କିଛି ପ୍ରଶ୍ନପତ୍ର ଲିକ୍ ହୋଇନି ବୋଲି ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ କହିବା ମୁତାବକ, ପ୍ରଶ୍ନ କାଳରେ କିଛି ପ୍ରଶ୍ନକୁ ବିରୋଧୀ ସାମ୍ନା ନ କରିବାକୁ ଏପରି କରିଛନ୍ତି, ଯାହା ତାଙ୍କ ଆବଶ୍ୟକତା ଥିବ । ପ୍ରଶ୍ନପତ୍ର ଲିକ୍ ନେଇ ସାମାନ୍ୟତମ ସତ୍ୟତା ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

Related Posts