
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରୁଷ୍କୁ ପୁଣି ଚେତାବନୀ ଦେଇଛି ଆମେରିକା । ଋଷ ଓ ୟୁକ୍ରେନ୍ ପ୍ରସଙ୍ଗକୁ ନେଇ ବଡ଼ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଆମେ ଆମ ପଡୋଶୀଙ୍କ ସହିତ ଛିଡ଼ା ହୋଇଛୁ ଏବଂ ସେମାନଙ୍କ ସୁରକ୍ଷା ପାଇଁ ପ୍ରତିବଦ୍ଧ ବୋଲି ବାଇଡେନ୍ କହିଛନ୍ତି। ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଆମେରିକା ନାଟୋ ଦେଶ ଗୁଡିକ ପ୍ରତି ଯତ୍ନବାନ ରହିଛି । ନାଟୋ ଦେଶର ଇଞ୍ଚେ ହେଲେ ବି ଜାଗାକୁ କେହି କବ୍ଜା କରିପାରିବେନାହିଁ । ନାଟୋ ସହଯୋଗୀଙ୍କ ସହ ଆମେ ପ୍ରତି ସମୟରେ ଛିଡ଼ା ହୋଇ ରହିବୁ । ତେଣୁ ମିଷ୍ଟର ପୁଟିନ୍ ଯାହା କହୁଛନ୍ତି, ସେଥିପ୍ରତି ଧ୍ୟାନ ନଦିଅନ୍ତୁ । ମୁଁ ମୋ ସହଯୋଗୀ ଦେଶମାନଙ୍କ ସହ ସଂପର୍କରେ ରହିଛି ବୋଲି ବାଇଡେନ୍ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ୟୁକ୍ରେନର ୪ଟି ଅଞ୍ଚଳ ରୁଷରେ ବିଲୀନ ହୋଇଥିବା ନେଇ ଘୋଷଣା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଦକ୍ଷିଣ-ପୂର୍ବ ୟୁକ୍ରେନର ଡୋନଟସ୍କ, ଲୁହାନସ୍କ, ଜାପୋରିଜିୟା ଓ ଖେରସାନ ଅଞ୍ଚଳ ଋଷରେ ମିଶିଲା ବୋଲି ପୁଟିନ ଘୋଷଣା କରିଥିଲେ। ଏଥିପାଇଁ ରୁଷ ପକ୍ଷରୁ ସେପ୍ଟେମ୍ବର ୨୩ ଓ ୨୭ରେ ଏହିସବୁ ଅଞ୍ଚଳରେ ଜନମତ ସଂଗ୍ରହ କରାଯାଇଥିଲା। ଡୋନେଟକ୍ସର ୯୯.୨ ପ୍ରତିଶତ, ଲୁହାନସ୍କର ୯୮.୪ ପ୍ରତିଶତ, ଜାପୋରିଜିୟାର ୯୩.୧ ପ୍ରତିଶତ ଏବଂ ଖେରସାନର ୮୭ ପ୍ରତିଶତ ଲୋକ ରୁଷ ସପକ୍ଷରେ ମତ ଦେଇଥିଲେ। ଏହାପରେ ଶୁକ୍ରବାର ମସ୍କୋର ସେଣ୍ଟ ଜର୍ଜ ହଲ୍ ରେ ଆୟୋଜିତ ସମାରୋହରେ ପୁଟିନ ଏହି ୟୁକ୍ରେନର ଅଞ୍ଚଳ ସବୁ ଋଷରେ ମିଶିଲା ବୋଲି ଘୋଷଣା କରିଥିଲେ।