ଭୁବନେଶ୍ୱର : ଉତ୍ତର ଓଡ଼ିଶାରେ ସଙ୍ଗୀନ ରହିଛି ବନ୍ୟା ସ୍ଥିତି । ଫଳରେ ଉବୁଟୁବୁ ବାଲେଶ୍ୱର, ବସ୍ତା, ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱର ବ୍ଳକରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଏହି ୪ଟି ବ୍ଳକ୍ ସହିତ ବାଲେଶ୍ବର ସଦର ଓ ରେମୁଣା ବ୍ଳକର ବିଭିନ୍ନ ଗାଁ ଏବେବି ପାଣି ଘେରରେ ରହିଛି ।
ସେପଟେ ସୁବର୍ଣ୍ଣରେଖା ନଦୀ ଏବେ ବିପଦ ସଂକେତ ତଳେ ପ୍ରଭାବିତ ହେଉଛି । ରାଜଘାଟ ଠାରେ ସୁବର୍ଣ୍ଣରେଖାର ବିପଦ ସଂକେତ ୧୦.୩୬ମିଟର ଥିବାବେଳେ ଏବେ ୮ଦଶମିକ ୭୬ ମିଟରରେ ପ୍ରଭାବିତ ହେଉଛି ବନ୍ୟାଜଳ । ଘୁର୍ଣ୍ଣିବଳୟ ପ୍ରଭାବରେ ପୁଣି ଉତ୍ତର ଏବଂ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ।
ସେପଟେ ସୋମବାର ମଧ୍ୟାହ୍ନ ୧୨ଟା ବେଳକୁ ସୁବର୍ଣ୍ଣରେଖା ନଦୀରେ ସର୍ବାଧିକ ବନ୍ୟାଜଳ (ପିକ୍ ଫ୍ଲଡ୍) ଅତିକ୍ରମ କରିଥିଲା। ଏହାପରଠୁ ଜଳସ୍ତର ଧୀରେ ଧୀରେ କମିବାକୁ ଲାଗିଥିଲା। ଝାଡ଼ଖଣ୍ଡରେ ବର୍ଷା କମୁଥିବାରୁ ଗାଲୁଡ଼ିହି ଡ୍ୟାମ୍ର ୧୬ଟି ଗେଟ୍ ବନ୍ଦ କରିଦିଆଯାଇଛି। ସୁବର୍ଣ୍ଣରେଖାର ଉଦ୍ବୃତ୍ତ ଜଳରାଶି ଯୋଗୁଁ ତଳିଆ ଓ ନଦୀ ତଟବର୍ତ୍ତୀ ଅଞ୍ଚଳରେ ଆସନ୍ତା ୨ରୁ ୩ ଦିନ ଯାଏ ବନ୍ୟା ସ୍ଥିତି ଲାଗିରହିବ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଜଳକା ବନ୍ୟାପାଣିରେ ଭାସିଯାଇ ବସ୍ତା ଥାନା ପଳାସିଆ ଗ୍ରାମର ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବାବେଳେ ବାଲିଆପାଳ ବ୍ଲକ ବଡ଼ତାଳପଦା ଗାଁର ଜଣେ ମହିଳା ପ୍ରଖର ଜଳସ୍ରୋତରେ ଭାସିଯାଇଛନ୍ତି। ଏଥିସହିତ ବନ୍ୟାଜଳରେ ବହୁ ଘରଦ୍ବାର ଭାଙ୍ଗିଯିବା ସହ ଆସବାବପତ୍ର ଭାସିଯାଇଛି। ୪୦ ହଜାର ୧୨୪ ଜଣ ଲୋକଙ୍କୁ ପାଣି ଘେରରୁ ଉଦ୍ଧାର କରାଯାଇଛି। ଖାଦ୍ୟ ଓ ପିଇବା ପାଣି ଅଭାବରୁ ବନ୍ୟାଦୁର୍ଗତଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି।
