ଭି. ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଖଲ୍ଲିକୋଟ ରାଣୀ ତଥା ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ‘ଏକ୍ସ’ରେ ରାଜ୍ୟପାଳ ରଘୁବର ଦାସ ଗଭୀର ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାରବର୍ଗ ଓ ଅନୁଗାମୀଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି।ଓଡ଼ିଶାର ଲୋକକ୍ଷେତ୍ରକୁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ ବୋଲି କହିଛନ୍ତି।

https://x.com/GovernorOdisha/status/1756149131603509717?s=20

ସେହିପରି ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସୁଜ୍ଞାନ କୁମାରୀ ଦେଓଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ବିଜୁ ଜନତା ଦଳର ବରିଷ୍ଠ ନେତ୍ରୀ ଭାବେ ଦଳକୁ ସଙ୍ଗଠିତ କରିବାରେ ତାଙ୍କର ବଡ଼ ଯୋଗଦାନ ରହିଛି। ଖଲିକୋଟ ଓ କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ୧୦ଥର ବିଧାୟିକା ଭାବେ ପ୍ରତିନିଧିତ୍ୱ କରି ଜନସେବାରେ ସେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି। ଏହା ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।

https://x.com/Naveen_Odisha/status/1756173998478459266?s=20

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ବିଶିଷ୍ଟ ରାଜନୀତିଜ୍ଞ, ପୂର୍ବତନ ବିଧାୟିକା ତଥା ଖଲ୍ଲିକୋଟର ରାଣୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ଦୀର୍ଘ ସମୟ ଧରି ବିଧାୟିକା ଭାବେ ଓଡ଼ିଶାର ଜନମାନସରେ ସେ ସୁପରିଚିତ ଥିଲେ। ତାଙ୍କ ବିୟୋଗରେ ଓଡ଼ିଶା ଜଣେ ସ୍ପଷ୍ଟବାଦୀ ରାଜନେତ୍ରୀଙ୍କୁ ହରାଇଲା। ରାଜ୍ୟ ରାଜନୀତି ଜଗତରେ ଜନପ୍ରତିନିଧି ଭାବେ ତାଙ୍କର ଲୋକସେବା କାର୍ଯ୍ୟ ଗୁଡ଼ିକ ଚିର ସ୍ମରଣୀୟ ହୋଇ ରହିବ। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି।

https://x.com/dpradhanbjp/status/1756140764424184089?s=20

ଏହାବ୍ୟତୀତ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଦଳୀୟ ରାଜ୍ୟ ସଭାପତି ମନମୋହନ ସାମଲ ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, କବିସୂର୍ଯ୍ୟନଗର ଓ ଖଲ୍ଲିକୋଟର ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ୮୭ ବର୍ଷ ବୟସରେ ପରଲୋକ ହୋଇଯାଇଛି। ତାମିଲନାଡୁର ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି।

Related Posts