ଘରୋଇ ହସ୍ପିଟାଲ୍ ସାହାଯ୍ୟରେ ଷ୍ଟାର୍ ହୋଟେଲ୍ ଗୁଡିକରେ ହେଉଥିବା ଟୀକାକରଣ ପ୍ରକିୟାକୁ ବନ୍ଦ କରାଯିବ: କେନ୍ଦ୍ର


(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ସାରା ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଟୀକାକରଣ ପ୍ରକିୟା ଆରମ୍ଭ ହୋଇଛି । ଏପରି ମୁହୂର୍ତ୍ତରେ କିଛି ଘରୋଇ ହସ୍ପିଟାଲ୍ ଗୁଡ଼ିକ ଷ୍ଟାର୍ ହୋଟେଲ୍ ମାନଙ୍କୁ ଟୀକା ଯୋଗେଇ ଦେଉଛନ୍ତି । ତେବେ ତାଙ୍କର ଏପରି କରିବା ଟୀକାକରଣ କାର୍ଯ୍ୟକ୍ରମ ପାଇଁ ଦିଆଯାଇଥିବା ନିର୍ଦ୍ଦେଶାବଳୀ ବିରୁଦ୍ଧ ଅଟେ ଏବଂ ଏହାକୁ ତୁରନ୍ତ ବନ୍ଦ କରିବାକୁ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି । ଏନେଇ କେନ୍ଦ୍ରସରକାର ରାଜ୍ୟମାନଙ୍କୁ ଚିଠି ଲେଖିଛନ୍ତି । ତେବେ ବିଗତ କିଛି ଦିନରୁ ଘରୋଇ ହସ୍ପିଟାଲ୍ ସାହାଯ୍ୟରେ ଷ୍ଟାର୍ ହୋଟେଲ୍ ମାନଙ୍କରେ ଟୀକାକରଣ ପ୍ରକ୍ରିୟା ଚାଲିଥିଲା । ଏ ବାବଦରେ ଖବର ସାମ୍ନାକୁ ଆସିବା ପରେ ଏହା କେନ୍ଦ୍ର ସରକାରଙ୍କ ଟୀକାକରଣ ନୀତି ବିରୁଦ୍ଧ ଅଟେ ଏବଂ ଏହାକୁ ତୁରନ୍ତ ବନ୍ଦ କରାଯିବା ଆବଶ୍ୟକ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଡକ୍ଟର ମନୋହର ଅଗ୍ରାନୀ ଉକ୍ତ ଚିଠିରେ ଦର୍ଶାଇଛନ୍ତି।

କେବଳ ଏତିକି ନୁହେଁ ବରଂ ଏହି ଅନୁଷ୍ଠାନ ବିରୋଧରେ ଆବଶ୍ୟକ ଆଇନଗତ ଏବଂ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି । ଅନ୍ୟପଟେ ଟୀକାକରଣ ନିର୍ଦ୍ଦେଶାବଳୀ ଅନୁଯାୟୀ କେନ୍ଦ୍ରସରକାର ଟୀକାକରଣକୁ ନେଇ ଚାରୋଟି ବିକଳ୍ପ ଉପଲବ୍ଧ କରାଇଛନ୍ତି । ସେଗୁଡିକ ହେଲା ସରକାରୀ ଡାକ୍ତରଖାନା ଗୁଡ଼ିକରେ ଟୀକାକରଣ କେନ୍ଦ୍ର, ସରକାରୀ ଡାକ୍ତରଖାନା ଏବଂ ଘରୋଇ ଡାକ୍ତଖାନା ଦ୍ବାରା ପରିଚାଳିତ ଘରୋଇ କମ୍ପାନୀ ମାନଙ୍କରେ, ବୃଦ୍ଧ ମାନଙ୍କ ପାଇଁ ଘରୋଇ ଟୀକାକରଣ କେନ୍ଦ୍ର ଏବଂ ଶେଷରେ ସମ୍ପ୍ରଦାୟ କେନ୍ଦ୍ର, ପଞ୍ଚାୟତ ଭବନ, ସ୍କୁଲ୍ କଲେଜ୍ ମାନଙ୍କରେ ଅସ୍ଥାୟୀ ଟୀକାକରଣ କେନ୍ଦ୍ର । ଏହାକୁ ଛାଡି ଅନ୍ୟ କୌଣସି ଉପାୟରେ ଟୀକାକରଣ କେନ୍ଦ୍ରସରକାରଙ୍କ ନିତୀ ବିରୁଦ୍ଧ ଅଟେ । ଏହା ସହ କେନ୍ଦ୍ରସରକାରଙ୍କ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶାବଳୀକୁ ନଜର ରଖିବା ପାଇଁ ରାଜ୍ୟ ତଥା ୟୁଟି ମାନଙ୍କୁ ନିର୍ଦେଶ ଦିଆଯାଇଛି ।

Related Posts