ୟୁପିରୁ ଆସିଲା ଛାତିଥରା ଦୃଶ୍ୟ : କରୋନା ସଂକ୍ରମିତ ମୃତଦେହକୁ ନଦୀରେ ଫିଙ୍ଗିଲେ ପ୍ରିୟଜନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା କାଳରେ ଦେଶରେ ବିଭିନ୍ନ ସ୍ଥାନରୁ ଅଭାବନୀୟ ଘଟଣା ସାମ୍ନାକୁ ଆସୁଛି । ଗତ କିଛିଦିନ ତଳେ ଗଙ୍ଗା ନଦୀରେ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ବାଲିରେ ମୃତଦେହ ପୋତା ଯାଉଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା । ଆଉ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ଏବେ ଉତ୍ତରପ୍ରଦେଶର ବଲରାମପୁର ଜିଲ୍ଲାରୁ ଏକ କୋଭିଡ ରୋଗୀଙ୍କ ମୃତଦେହକୁ ନଦୀରେ ଫିଙ୍ଗି ଦେଉଥିବାର ଏକ ଚକିତ ଭିଡିଓ ସାମ୍ନାକୁ ଆସିଛି । ମେ ୨୮ ତାରିଖ ଦିନ ଜଣେ କୋଭିଡ୍ ସଂକ୍ରମିତଙ୍କ ମୃତଦେହକୁ ପିପିଇ କିଟ୍ ପିନ୍ଧିଥିବା କିଛି ଲୋକ ବ୍ରିଜ୍ ଉପରୁ ରାପ୍ତି ନଦୀ ଶବକୁ ଫିଙ୍ଗି ଦେଉଥିବାର ନଜର ଆସୁଛି । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଘଟଣା ଭାଇରାଲ ହେବା ପରେ ବଳରାମପୁରର ମୁଖ୍ୟ ଚିକିତ୍ସା ଅଧିକାରୀ ନିଶ୍ଚିତ କରିଥିଲେ ଯେ ମୃତଦେହ ପ୍ରକୃତରେ ଜଣେ କୋଭିଡ ରୋଗୀଙ୍କର ଏବଂ ସମ୍ପର୍କୀୟମାନେ ମୃତଦେହକୁ ନଦୀରେ ପକାଇବାକୁ ଚେଷ୍ଟା କରୁଥିଲେ। ସମ୍ପର୍କୀୟଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ନେଇ ସେ ସୂଚନା ଦେଇଛନ୍ତି । ବଳରାମପୁର ମୁଖ୍ୟ ଚିକିତ୍ସା ଅଧିକାରୀ ଭିବି ସିଂହ କହିଛନ୍ତି ,” ପ୍ରାରମ୍ଭିକ ତଦନ୍ତରୁ ଜଣା ପଡିଛି ଯେ ରୋଗୀଙ୍କୁ ମେ ୨୫ ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ସେ ତିନି ଦିନ ପରେ ମେ ୨୮ ରେ ମୃତ୍ୟୁବରଣ କରିଥିଲେ। କୋଭିଡ ପ୍ରୋଟୋକଲ ଅନୁଯାୟୀ ମୃତଦେହ ତାଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିଲା। ତେବେ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ସମ୍ପର୍କୀୟମାନେ ମୃତଦେହକୁ ଫିଙ୍ଗି ଦେଇଥିଲେ। ଏବଂ ଆମେ ତାଙ୍କ ସମ୍ପର୍କୀୟ ମାନଙ୍କ ବିରୁଦ୍ଧରେ ମାମଲା ଦାୟର କରିଛୁ ଏବଂ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଚଳିତ ମାସ ଆରମ୍ଭରେ ବିହାର ଏବଂ ଉତ୍ତରପ୍ରଦେଶର କିଛି ଅଞ୍ଚଳରେ ଗଙ୍ଗା ନଦୀ କୂଳରେ ଶହ ଶହ ଶବ ଭାସୁଥିବା ନଜର ଆସିଥିଲା। ବକ୍ସର ଜିଲ୍ଲାରେ 71 ଟି ମୃତଦେହ ନଦୀ କୂଳରୁ ଉଦ୍ଧାର କରାଯାଇଥିଲା। ସେହିପରି ଗଙ୍ଗା ନଦୀ କୂଳରେ ହଜାର ହଜାର ମୃତଦେହ ପୋତି ହୋଇଥିବାର ଦେଖିବାକୁ ମିଳିଛି ଏବଂ ଉଚ୍ଚ ଜୁଆର ଆସିବା ସମୟରେ ଏଥିରୁ ଅନେକ ଶବ ଭାସି ଯାଇଥାଇପାରେ ବୋଲି ସ୍ଥାନୀୟ କର୍ତ୍ତୃପକ୍ଷ କହିଛନ୍ତି। କେନ୍ଦ୍ରୀୟ ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ଶେଖୱାତ ଟ୍ୱିଟ୍ କରି କହିଛନ୍ତି ଯେ ଗଙ୍ଗା ନଦୀରେ ମୃତଦେହ ଭାସୁଥିବା ପ୍ରସଙ୍ଗରେ ଆମେ ଗୁରୁତର ଧ୍ୟାନ ଦେଇଛୁ ଏବଂ ଏଥିପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଏନଏମସିଜି ଏବଂ ଜିଲ୍ଲା କର୍ତ୍ତୃପକ୍ଷଙ୍କ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ପ୍ରୋଟୋକଲ୍ ଅନୁଯାୟୀ ସମସ୍ତ ଅଜ୍ଞାତ ଶବ ବ୍ୟବଚ୍ଛେଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Related Posts