ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ପାଇଁ ଟିକା ବାଧ୍ୟତାମୂଳକ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଦେଶରେ କରୋନା ସ୍ଥିତି ଅତ୍ୟନ୍ତ ଭୟାବହ । ପ୍ରତ୍ୟେକ ଦିନ ହଜାର ହାଜର ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହା ମଧ୍ୟରେ ଗଣତନ୍ତ୍ର ଦିବସ ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଥିଲେ । ତେବେ ବର୍ତ୍ତମାନ ଏହି କାର୍ୟ୍ୟକ୍ରମରେ ସାମିଲ ହେବାକୁ ଥିବା ଲୋକମାନଙ୍କ ପାଇଁ ଟିକା ବାଧ୍ୟତାମୂଳକ କରାଯାଇଛି। ଟିକାର ଦୁଇଟି ଯାକ ଡୋଜ୍ ନେଇଥିବା ଲୋକଙ୍କୁ ହିଁ କାର୍ୟ୍ୟକ୍ରମରେ ସାମିଲ ହେବାର ସୁଯୋଗ ମିଳିବ। ଏହି ନିୟମ ୧୫ ବର୍ଷ ଓ ତା’ଠାରୁ ଅଧିକ ବୟସ୍କଙ୍କ ପାଇଁ ଲାଗୁ ହେବ। ଜାନୁଆରୀ ୨୬ରେ ରାଜପଥରେ ହେବାକୁ ଥିବା ଗଣତନ୍ତ୍ର ଦିବସ ସମାରୋହରେ ଯୋଗାଦେବାକୁ ଥିବା ଲୋକମାନେ ମାସ୍କ ପିନ୍ଧିବେ ଓ ସାମାଜିକ ଦୂରତା ରକ୍ଷା କରିବାକୁ ବାଧ୍ୟ ବୋଲି ଗାଇଡଲାଇନରେ କଡ଼ାକଡ଼ି ଭାବେ କୁହାଯାଇଛି। ଦିଲ୍ଲୀ ପୁଲିସ୍ କହିଛି ଯେ “ଆଣ୍ଟି କରୋନା ଭାଇରସ ଭ୍ୟାକସିନର ଉଭୟ ଡୋଜ୍ ନେବା ଜରୁରୀ।

ଗଣତନ୍ତ୍ର ଦିବସକୁ ଆସୁଥିବା ଅତିଥିମାନେ ଦୟା କରି ନିଜ ସହ ଆସିବା ବେଳେ ଟିକାକରଣ ପ୍ରମାଣପତ୍ର ଆଣିବେ। ୧୫ ବର୍ଷରୁ କମ ବୟସ୍କ ପିଲାମାନଙ୍କୁ କାର୍ୟ୍ୟକ୍ରମରେ ସାମିଲ ହେବା ପାଇଁ ଅନୁମତି ମିଳିବ ନାହିଁ।” ପୁଲିସ୍ ଗାଇଡଲାଇନରେ ଆହୁରି କହିଛି ଯେ ଅତିଥିଙ୍କ ପାଇଁ ସିଟିଂ ବ୍ଲକଗୁଡ଼ିକ ସକାଳ ୭ଟାରୁ ଖୋଲିବ। ତେଣୁ କୋଭିଡ ଗାଇଡଲାଇନ ପାଳନ କରି ଲୋକମାନେ ଏଠାକୁ ଆସି ପାରିବେ। ପାର୍କିଂ ପାଇଁ ସ୍ୱଳ୍ପ ସ୍ଥାନର ବ୍ୟବସ୍ଥା ହୋଇଛି। ତେଣୁ ଆଗନ୍ତୁକଙ୍କୁ ଟ୍ୟାକ୍ସି କିମ୍ବା ଅନ୍ୟ ଗାଡ଼ିରେ ଆସିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।ସମସ୍ତେ ନିଜ ସହ ବୈଧ ପରିଚୟ ପତ୍ର ଆଣିବେ ଓ ସୁରକ୍ଷା ଯାଞ୍ଚ ବେଳେ ପୁଲିସ୍କୁ ସହଯୋଗ କରିବେ। ସବୁ ପାର୍କିଂରେ ରିମୋଟ କଣ୍ଟ୍ରୋଲ କାର ଲକ ଚାବିକୁ ଜମା କରିବାକୁ ବ୍ୟବସ୍ଥା ରହିବ ବୋଲି ଗାଇଡଲାଇନରେ ଉଲ୍ଲେଖ କରାଯାଇଛି।

Related Posts