ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ: ସମାଜବାଦୀ ପାର୍ଟି ପକ୍ଷରୁ 159 ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା

ସମାଜବାଦୀ ପାର୍ଟି (ଏସପି) ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ 159 ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି । କରହଲ ନିର୍ବାଚନ ମଣ୍ଡଳୀରୁ ଦଳ ମୁଖ୍ୟ ଅଖିଳେଶ ଯାଦବ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ବେଳେ ଅବଦୁଲ୍ଲା ଆଜାମ ଖାନଙ୍କୁ ସୁଆର ବିଧାନସଭା ଆସନରୁ ମୈଦାନକୁ ଓହ୍ଲାଇଛି ଦଳ । ସେହିପରି ସପାର ଅନ୍ୟ ଜଣେ ବରିଷ୍ଠ ନେତା ତଥା ବିବାଦୀୟ ସାଂସଦ ଆଜମ ଖାନ ରାମପୁର ନିର୍ବାଚନ ମଣ୍ଡଳୀ ଓ ଶିବପାଲ ସିଂ ଯାଦବଙ୍କୁ ଜଶୋବନ୍ତନଗର ନିର୍ବାଚନମଣ୍ଡଳୀରୁ ଟିକେଟ ଦେଇଛି ସପା ।

ଜାତୀୟ ରାଜନୀତିରେ ବେଶ୍ ପ୍ରଭାବ ରଖୁଥିବା ଉତ୍ତର ପ୍ରଦେଶ ରାଜନୀତିରେ ଘମାଘୋଟ ପ୍ରଚାର ଜାରି ରହିଛି । ଫେବୃଆରୀ 10 ରୁ ମାର୍ଚ୍ଚ 7 ପର୍ଯ୍ୟନ୍ତ ମୋଟ ସାତୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ମତଦାନ । ବର୍ତ୍ତମାନ ବିଜେପି ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବରେ କ୍ଷମତାରେ ଥିବା ବେଳେ ଅଖିଳେଶଙ୍କ ନେତୃତ୍ବଧୀନ ସମାଜବାଦୀ ପାର୍ଟି ବିରୋଧୀ ଦଳ ଭୂମିକାରେ ରହିଛି । ଚଳିତ ବର୍ଷ ସପା ବିଜେପିକୁ ହଟାଇ କ୍ଷମତାକୁ ଫେରିବା ନେଇ ଦଳ ମୁଖ୍ୟ ଅଖିଳେଶ ଦମ୍ଭୋକ୍ତି ଦେଖାଇ ଆସୁଛନ୍ତି ।ସେହିପରି କିଛି ବିଜେପି ନେତା ତଥା ମନ୍ତ୍ରୀ ମଧ୍ୟ ଯୋଗୀ ଶିବିର ଛାଡି ଅଖିଳେଶଙ୍କ ସାଇକେଲରେ ସବାର ହୋଇଥିବାରୁ ପୂର୍ବ ସମୀରକରଣରେ ମଧ୍ୟ ସମ୍ୟକ ପରିବର୍ତ୍ତନ ଆସିପାରେ ବୋଲି ଆଶା କରାଯାଉଛି । ଏପଟେ ଦଳ ଡିଆଁର କୌଣସି ପ୍ରଭାବ ପଡିବ ନାହିଁ ଓ ବିଜେପି ପୁଣି ରାଜ୍ୟରେ କ୍ଷମତା ବଜାୟ ରଖିବା ନେଇ ମଧ୍ୟ ଆଶା ପ୍ରକଟ କରିଛି ବିଜେପି ।

ଆଜି ସମାଜବାଦୀ ପାର୍ଟି ୧୫୯ ପ୍ରାର୍ଥୀ ତାଲିକା ସାମ୍ନାକୁ ଆସିଥିବା ବେଳେ ଏହି ପର୍ଯ୍ୟାୟରେ ଅନେକ ପ୍ରମୁଖ ଚେହେରା ସାମିଲ ରହିଛନ୍ତି । ତେବେ ଅବଶିଷ୍ଟ ଆସନରେ ମଧ୍ୟ ଖୁବ ଶୀଘ୍ର ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ନେଇ ମଧ୍ୟ ଅଖିଳେଶଙ୍କ କ୍ୟାମ୍ପରୁ ସୂଚନା ମିଳିଛି ।

ଫେବୃଆରୀ ୧୦ ତାରିଖରୁ ରାଜ୍ୟରେ ପର୍ଯ୍ୟାୟ କ୍ରମେ ଆରମ୍ଭ ହେବ ମତଦାନ । ମାର୍ଚ୍ଚ ୧୦ ରେ ଗଣତି ସହ ଜନାଦେଶ ପ୍ରକାଶ ପାଇବ ।

Related Posts