ବାରାଣସୀର ଶୃଙ୍ଗାର ଗୌରୀ ଜ୍ଞାନବାପୀ ମାମଲାର ସୋମବାର ଆସିବ ରାୟ: ନିଷ୍ପତ୍ତି ଆସିବା ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡାକଡି

ଲକ୍ଷ୍ନୌ: ବାରାଣସୀର ଶୃଙ୍ଗାର ଗୌରୀ ଜ୍ଞାନବାପୀ ମାମଲାରେ ଆସିବ ରାୟ । ସୋମବାର ଜିଲ୍ଲା ଜଜ୍ କୋର୍ଟ ରାୟ ଶୁଣାଇବେ । ଶୃଙ୍ଗାର ଗୌରୀଙ୍କ ନିୟମିତ ଦର୍ଶନ ଏବଂ ବିଗ୍ରହର ସୁରକ୍ଷାକୁ ନେଇ ଚାଲିଥିବା ମକଦ୍ଦମା ଶୁଣାଣି ପାଇଁ ଯୋଗ୍ୟ କି ନାହିଁ ତାହା ଉପରେ କୋର୍ଟଙ୍କ ନିଷ୍ପତ୍ତି ଆସିବ । ସବୁ ପକ୍ଷର ରାୟ ଶୁଣିବା ପରେ ଅଗଷ୍ଟ ୨୪ରେ ଜିଲ୍ଲା ଜଜ ଅଜୟ କୃଷ୍ଣ ବିଶ୍ୱେଶ ନିଜ ରାୟକୁ ସଂରକ୍ଷିତ ରଖିଥିଲେ । କୋର୍ଟଙ୍କ ନିଷ୍ପତ୍ତି ଆସିବା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ବାରାଣାସୀ ପୋଲିସ ଆଲର୍ଟ ମୋଡରେ ରହିଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମେ ୨୩ ତାରିଖରୁ ଜିଲ୍ଲା କୋର୍ଟରେ ଶୁଣାଣି ଚାଲିଥିଲା। ନାଗରିକ ପ୍ରକ୍ରିୟା ସଂହିତା ସିପିସିର ଆଦେଶ ୭ ନିୟମ ୧୧ ଅନୁସାରେ ଏହି ମାମଲା ଶୁଣାଣି ପାଇଁ ଯୋଗ୍ୟ କି ନୁହେଁ ତାହା ଉପରେ ଶୁଣାଣି ଚାଲିଛି। ପୂର୍ବ ଶୁଣାଣିରେ ମୁସଲମାନ ପକ୍ଷ ନିଜର ଯୁକ୍ତି ରଖିଥିଲେ।

ସିଭିଲ ଜଜଙ୍କ ନିର୍ଦ୍ଦେଶ ପରେ ଜ୍ଞାନବ୍ୟାପୀର ସର୍ଭେ କରାଯାଇଥିଲା । ଏହାପରେ ଜ୍ଞାନବ୍ୟାପୀରେ ଶିବଲଙ୍ଗ ଥିବା ନେଇ ହିନ୍ଦୁ ପକ୍ଷ ଦାବି କରିଥିଲେ। ଅନ୍ୟପଟେ ମୁସଲମାନ ପକ୍ଷ ଏହାକୁ ଫୁଆରା ବୋଲି କହିଥିଲେ । ପରେ ବିବାଦୀୟ ସ୍ଥାନକୁ ସିଲ କରିବାକୁ ହିନ୍ଦୁ ପକ୍ଷ ଦାବି କରିଥିଲେ। ଏହାପରେ ସେସନ କୋର୍ଟ ଏହାକୁ ସିଲ କରିଥିଲେ। ଏହି ନିର୍ଦ୍ଦେଶ ବିରୋଧରେ ମୁସଲିମ ପକ୍ଷ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପରେ ହିନ୍ଦୁ ପକ୍ଷ ମାମଲାର ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇ ଅନ୍ୟ ଏକ ଆବେଦନ କରିଥିଲେ। ଏହି ଆବେଦନ ପରେ ଜିଲ୍ଲା ଜଜଙ୍କୁ ପ୍ରାଥମିକତା ଆଧାରରେ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

Related Posts