(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟାର ସଠିକ୍ ତଥ୍ୟ ପ୍ରକାଶ କରିବା ପାଇଁ କୋଭିଡ-୧୯ ମୃତ୍ୟୁର ସ୍ଵତନ୍ତ୍ର ଅଡିଟ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଖଲ ହୋଇଛି। ଆଇନଜୀବୀ ନିଶିକାନ୍ତ ମିଶ୍ର ଏହି ମାମଲା ଦାଖଲ କରିଛନ୍ତି। ହାଇକୋର୍ଟରେ ଦାଖଲ ହୋଇଥିବା ପିଟିସନରେ ମୁଖ୍ୟ ଶାସନ ସଚିବଙ୍କ ସମେତ ୭ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି। ସ୍ବାସ୍ଥ୍ୟ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧ୍ୟ ରହିଛନ୍ତି। କୋଭିଡ ପରିଚାଳନା ଓ ମୃତ୍ୟୁ ରୋକିବା ଦିଗରେ ରାଜ୍ୟ ସରକାରଙ୍କ ବିଫଳତା ସଂପର୍କରେ ସେ ଆବେଦନରେ ଉଲ୍ଲେଖ କରିଛନ୍ତି। ଗଣମାଧ୍ୟମରେ ପ୍ରକାଶ ପାଉଥିବା ରିପୋର୍ଟ ଏବଂ ସରକାରୀ ତଥ୍ଯ ଆଧାରରେ ରାଜ୍ୟରେ କରୋନା ଜନିତ ମୃତ୍ୟୁର ସ୍ବତନ୍ତ୍ର ଅଡିଟ୍ କରିବା ପାଇଁ ଆଇନଜୀବୀ ଶ୍ରୀ ମିଶ୍ର ଆବେଦନ କରିଛନ୍ତି। କଟକର ସତୀଚଉରା ଏବଂ ରାଜଧାନୀ ଭୁବନେଶ୍ୱରର ସତ୍ୟନଗର ସ୍ମଶାନରେ କୋଭିଡରେ ପ୍ରାଣ ହରାଉଥିବା ମୃତକଙ୍କ ଶବ ସତ୍କାର ପାଇଁ ମହାନଗର ନିଗମ ଦେଉଥିବା ଅନୁମତି ଓ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରତିଦିନ ପ୍ରକାଶ ପାଉଥିବା ଦୈନିକ କୋଭିଡ ମୃତ୍ୟୁ ରିପୋର୍ଟରେ ତାଳମେଳ ରହୁନଥିବା ନେଇ ସେ ଦର୍ଶାଇଛନ୍ତି। କଟକର ସତୀଚଉରା ସ୍ମଶାନରେ ଦିନକରେ ୪୪ କୋଭିଡ ମୃତକଙ୍କ ଶବ ସତ୍କାର କରାଯାଇଥିବା ନେଇ ସିଏମସି କର୍ମଚାରୀ ଓ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏବଂ ରାଜଧାନୀ ଭୁବନେଶ୍ୱରର ସତ୍ୟନଗର ସ୍ମଶାନରେ ଏପ୍ରିଲ୍ ୨୬ ତାରିଖରେ ୪୦ ଜଣ କୋଭିଡ ମୃତକଙ୍କ ଶବ ସତ୍କାର କରାଯାଇଛି। କିନ୍ତୁ ଗତ ଏପ୍ରିଲ ମାସରେ ରାଜ୍ୟ ସରକାରଙ୍କ ସୂଚନା ମୁତାବକ ସାରା ରାଜ୍ୟରେ ୧୩୩ ଜଣଙ୍କର କୋଭିଡରେ ମୃତ୍ୟୁ ଘଟିଛି । କିନ୍ତୁ ବାସ୍ତବ ଚିତ୍ର ଏହାଠାରୁ ବହୁତ ଅଧିକ। ସେହିପରି ୨୦୨୦ ମାର୍ଚ୍ଚ ୧୬ ତାରିଖରୁ ୨୦୨୧ ଜୁନ୍‍ ୧୧ ମଧ୍ୟରେ ଓଡ଼ିଶାରେ ମୋଟ ୩୨୧୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିବା ନେଇ ସରକାର ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ପଶ୍ଚିମ ଓଡ଼ିଶାରେ ମଧ୍ୟ ସରକାରୀ ରିପୋର୍ଟ ଏବଂ ପ୍ରକୃତ କରୋନା ଜନିତ ମୃତ୍ୟୁରେ ତାଳମେଳ ରହୁନଥିବା ନେଇ ଆଇନଜୀବୀ ନିଶିକାନ୍ତ ମିଶ୍ର ଆବେଦନରେ ବିସ୍ତୃତ ତଥ୍ୟ ପ୍ରଦାନ କରିଛନ୍ତି। ରାଜ୍ୟରେ କୋଭିଡ ମୃତ୍ୟୁର ସଠିକ୍ ତଥ୍ୟ ପ୍ରକାଶ କରିବା ପାଇଁ ସ୍ଵତନ୍ତ୍ର ଅଡିଟ କରିବାକୁ ଜନସ୍ବାର୍ଥ ମାମଲା ମାଧ୍ୟମରେ ସେ ହାଇକୋର୍ଟରେ ଆବେଦନ କରିଛନ୍ତି। ସୂଚନାଯୋଗ୍ୟ ଯେ ଗତ କିଛି ଦିନ ତଳେ ବିହାର ସରକାର ମଧ୍ୟ କୋଭିଡ୍ ମୃତ୍ୟୁ ତଥ୍ୟ ଲୁଚାଇଥିବା ନେଇ ଅଭିଯୋଗ ହୋଇଥିଲା। କିନ୍ତୁ ପାଟନା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କୋଭିଡ୍ ଜନିତ ମୃତ୍ୟୁର ଅଡିଟ୍ କରାଯିବାରୁ ମୃତ୍ୟୁ ସଂଖ୍ୟା ସରକାରୀ ତଥ୍ଯ ଠାରୁ ବହୁ ଅଧିକ ବୋଲି ଜଣାପଡିଥିଲା। ସେହିପରି ନୟାଗଡ଼ ଜିଲ୍ଲାରେ ମଧ୍ୟ କୋଭିଡ୍ ମୃତ୍ୟୁ ସଂଖ୍ୟା ସରକାରଙ୍କ ପୋର୍ଟାଲ ତଥ୍ୟ ଓ ପ୍ରକୃତ ମୃତ୍ୟୁ ତଥ୍ୟରେ ତାଳମେଳ ରହୁନଥିବା ନେଇ ରାଜ୍ୟ ସରକାରଙ୍କୁ କଂଗ୍ରେସ ପାର୍ଟି ଟାର୍ଗେଟ କରିଥିଲା। କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ଅଭିଯୋଗ କରିଥିଲେ ଯେ, ” ପ୍ରଥମ ଓ ଦ୍ବିତୀୟ ଲହରରେ ନୟାଗଡ ଜିଲ୍ଲାରେ ୧୮୨୪୪ ଜଣ କୋଭିଡ୍ ସଂକ୍ରମିତ ହୋଇଥିବା ସହ ୫୯ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସରକାରୀ ତଥ୍ୟ କହୁଛି । କିନ୍ତୁ ନୟାଗଡ଼ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ନିକଟରେ ନୟାଗଡ଼ ସିଡିଏମଓ ଦେଇଥିବା ରିପୋର୍ଟ କିନ୍ତୁ ଭିନ୍ନ କଥା କହୁଛି । ନୟାଗଡ଼ ଜିଲ୍ଲା ଚାନ୍ଦପୁର କୋଭିଡ ହସ୍ପିଟାଲରେ ୧୧୭ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ୮ ଟି ବ୍ଲକକୁ ନେଇ ନୟାଗଡ଼ ଜିଲ୍ଲାରେ ଯଦି ମୃତ୍ୟୁ ସଂଖ୍ୟା ଏତେ ତେବେ , ବଡ଼ ବଡ଼ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ସରକାରୀ ତଥ୍ଯ ଠାରୁ ବହୁ ଅଧିକ ହୋଇଥିବ ବୋଲି ସେ କହିଥିଲେ । “