ଭୁବନେଶ୍ୱର,୨୦/୨(ସତ୍ୟପାଠ ବ୍ୟୁରୋ): ନିକଟରେ କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ସାଧାରଣ ନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କଲେଣି। ଦଳର ପୁରୁଖା ନେତାଙ୍କୁ ସାକ୍ଷାତ କରିବା ପ୍ରକ୍ରିୟା ବି ସେ ଆରମ୍ଭ କରି ଦେଲେଣି। ଏସବୁ ଭିତରେ ବିଜୟ ପଟ୍ଟନାୟକ ୨୦୨୪ରେ ଦଳର ଭୁବନେଶ୍ୱର ସାଂସଦ ଚେହେରା ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଏହି ପରିପ୍ରେକ୍ଷୀରେ ବିଜୟ ଆଜି କଂଗ୍ରେସର ହେଭିୱେଟ ନେତା ସୁର ରାଉତରାୟ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକଙ୍କ ପୁଅ ପୃଥ୍ବୀବଲ୍ଲଭ ପଟ୍ଟନାୟକଙ୍କୁ ଭେଟିଛନ୍ତି।

ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଘରକୁ ଯାଇ ତାଙ୍କୁ ଭେଟିଛନ୍ତି ବିଜୟ ପଟ୍ଟନାୟକ। ଏହି ଅବସରରେ ସୁର ରାଉତରାୟ କହିଛନ୍ତି ବିଜୟ ପଟ୍ଟନାୟକ କଂଗ୍ରେସରେ ଯୋଗ ଦେଲେ ମୁଁ ୧୦୦ % ଖୁସି। କଂଗ୍ରେସକୁ ତାଙ୍କ ପରି କ୍ଲିନ ଇମେଜ ବ୍ୟକ୍ତି ଦରକାର। ସେ ଠିକ ସମୟରେ ଆସିଛନ୍ତି। ତାଙ୍କ ପରି ନିଷ୍ଠାବାନ ଲୋକ କଂଗ୍ରେସକୁ ଲୋଡ଼ା।

ଏହି ଅବସରରେ ବିଜୟ ପଟ୍ଟନାୟକ କହିଛନ୍ତି, ସୁର ଭାଇ କଲେଜରେ ମୋର ସିନିୟର। ମୁଁ ଚାକିରି କରିବା ପରେ ସେ ଥିଲେ ମନ୍ତ୍ରୀ। ତାଙ୍କ ସହ ମୋର ଘନିଷ୍ଠ ସମ୍ପର୍କ। ତେଣୁ ତାଙ୍କୁ ସାକ୍ଷାତ କରିବାକୁ ଆସିଛି।

ଏହାପରେ ବିଜୟ ପଟ୍ଟନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ବୀବଲ୍ଲଭ ପଟ୍ଟନାୟକଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ଏହି ସାକ୍ଷାତକାର ପରେ ପୃଥ୍ବୀବଲ୍ଲଭ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ପ୍ରଶାସନିକ କ୍ଷେତ୍ରରେ ତାଙ୍କର ଖୁବ୍‌ ଅଭିଜ୍ଞତା ଅଛି। ସେ ମୋ’ ବାପାଙ୍କ ପାଖରେ କାମ କରିଛନ୍ତି। ତାଙ୍କୁ ଭଲ ଭାବେ ଜାଣିଛି। ଓଡ଼ିଶାର ଉନ୍ନତି ପାଇଁ ସେ ସବୁବେଳେ ଚିନ୍ତିତ। ଏହି ଅବସରରେ ବିଆରଏସ୍‌ରେ ଯୋଗ ଦେବା ଚର୍ଚ୍ଚା ନେଇ ପୃଥିବୀ ବଲ୍ଲଭ ପଟ୍ଟନାୟକଙ୍କୁ ପଚରାଯିବାରୁ ଏହାର ଉତ୍ତରରେ ସେ କହିଛନ୍ତି, ମୋର କିଛି ସମ୍ପର୍କ ନାହିଁ। ମୁଁ କଂଗ୍ରେସରେ ଅଛି, ରହିବି।

ସୂଚନାଯୋଗ୍ୟ ଯେ, ଆସନ୍ତା ନିର୍ବାଚନରେ ବିଜୟ ପଟ୍ଟନାୟକ ଭୁବନେଶ୍ୱରରୁ କଂଗ୍ରେସର ସାଂସଦ ଚେହେରା ହେବା ନେଇ ଚର୍ଚ୍ଚା ଜୋର ଧରିଲାଣି। ଏହା ବ୍ୟତୀତ ଉଭୟ ସୁର ରାଉତରାୟ ଓ ପୃଥ୍ବୀବଲ୍ଲଭ ପଟ୍ଟନାୟକ ଭୁବନେଶ୍ୱର ସାଂସଦୀୟ କ୍ଷେତ୍ର ଅଧୀନ ଜଟଣୀ ତଥା ବେଗୁନିଆର ଟାଣୁଆ ନେତା। ତେଣୁ ସେମାନଙ୍କ ସହ ବିଜୟ ପଟ୍ଟନାୟକଙ୍କ ସୌଜନ୍ୟମୂଳକ ସାକ୍ଷାତକୁ ନେଇ ଏବେଠୁ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଗଲାଣି।