ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବଢ଼ିଲା ବିଜୟଙ୍କ ଅଡ଼ୁଆ । ୧୧୨ ନୁହଁ ବରଂ ୧୧୮ ବିଧାୟକଙ୍କ ତାଲିକା ଧରି ଆସିବାକୁ କହିଲେ ରାଜ୍ୟପାଳ । ତେବେ ବିଜୟଙ୍କ ଦଳ ଟିଭିକେ (ତାମିଲଗା ଭେଟ୍ରି କାଝାଗମ୍‌) ତାମିଲନାଡ଼ୁରେ ଏକକ ବୃହତ୍ତମ ଦଳ ହେବା ପରେ ବିଜୟ ଆଜି ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥନ ଆର୍ଲେକରଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି। ଗତକାଲି ଅପରାହ୍ଣ ପ୍ରାୟ ୩.୩୦ ସମୟରେ ବିଜୟ ରାଜ୍ୟପାଳଙ୍କୁ ଭେଟିଥିବାବେ‌ଳେ ତାଙ୍କ ସହ ଦଳୀୟ ନେତା ଏନ୍‌ ଆନନ୍ଦ, ଆଧବ ଅର୍ଜୁନ, କେଏ ସେଙ୍ଗୋତେୟାନ, ସିଟି ନିର୍ମଳ କୁମାର ଏବଂ ଅନ୍ୟମାନେ ଥିଲେ।

କଂଗ୍ରେସ ଦଳ ଟିଭିକେକୁ ସମର୍ଥନ ଘୋଷଣା କରିବା ପରେ ବିଜୟ ରାଜ୍ୟପାଳଙ୍କ ନିକଟରେ ୧୧୨ ବିଧାୟକଙ୍କ ସମର୍ଥନ ସହ ସରକାର ଗଠନ ପାଇଁ ଦାବି କରିଛନ୍ତି। ମିଳିଥିବା ସୂଚନାନୁଯାୟୀ, ରାଜ୍ୟପାଳ ଏଯାବତ ଟିଭିକେ ପାଖରେ ସଂଖ୍ୟାଗରିଷ୍ଠତା ଥିବା କଥାକୁ ଗ୍ରହଣ କରିନାହାନ୍ତି। ରାଜ୍ୟପାଳ ବିଜୟଙ୍କୁ ୧୧୮ ସଂଖ୍ୟା ସହ ଆସିବା ପାଇଁ କହିଥିବା ଜଣାପଡ଼ିଛି।

ସେପଟେ ୨୩୪ ଆସନ ବିଶିଷ୍ଟ ତାମିଲନାଡ଼ୁ ବିଧାନସଭାରେ ଟିଭିକେ ୧୦୮ ଆସନରେ ବିଜୟୀ ହୋଇଛି। କିନ୍ତୁ ସରକାର ଗଠନ ପାଇଁ ଟିଭିକେକୁ ୧୧୮ ସଂଖ୍ୟା ଆବଶ୍ୟକ। ବିଜୟ ଜିତିଥିବା ୨ଟି ଆସନରୁ ସେ ଗୋଟିଏ ଆସନ ଛାଡ଼ିଦେଲେ ଟିଭିକେ ସଂଖ୍ୟା ୧୦୭କୁ କମିଯିବ। ଯଦି କଂଗ୍ରେସର ୫ ଆସନ ମିଶିବ ତେବେ ମୋଟ୍‌ ସଂଖ୍ୟା ୧୧୨କୁ ବଢ଼ିବ। ତଥାପି ସରକାର ଗଠନ ପାଇଁ ଆଉ ୬ଟି ସଂଖ୍ୟା କମ୍‌ ରହୁଛି। ତେଣୁ ଏହି ସଂଖ୍ୟା ଖେଳ ଏବେ ବିଜୟଙ୍କ ଚିନ୍ତା ବଢ଼ାଇଛି। ଇତିମଧ୍ୟରେ ବାମ ଦଳଗୁଡ଼ିକ ବିଜୟଙ୍କୁ ସମର୍ଥନ କରିବେ ବୋଲି ଜଣାପଡ଼ିଛି।

ସିପିଏମ୍‌, ସିପିଆଇ, ଭିସିକେ ଏବଂ ଆଇୟୁଏମ୍‌ଏଲ୍‌ ପରି ଛୋଟ ଦଳଗୁଡ଼ିକ ନିକଟରେ କଂଗ୍ରେସ ସହଯୋଗ ପାଇଁ ପହଞ୍ଚିଥିବା ଜଣାପଡ଼ିଛି। ଟିଭିକେକୁ ସମର୍ଥନ ଦେବା ସଂକ୍ରାନ୍ତରେ ଭିସିକେ ଆସନ୍ତାକାଲି ଏକ ବୈଠକ କରିବ। ଏଆଇଏଡିଏମ୍‌କେ ଆଜି ଘୋଷଣା କରିଛି ଯେ କୌଣସି ପରିସ୍ଥିତିରେ ବି ବିଜୟଙ୍କ ଦଳକୁ ସମର୍ଥନ କରାଯିବ ନାହିଁ। ତେବେ ଦଳର ପ୍ରାୟ ୩୦ ବିଧାୟକ ଟିଭିକେକୁ ସମର୍ଥନ ଦେବା ପାଇଁ ମତ ରଖିଥିବାରୁ ଏହାକୁ ନେଇ ଦଳୀୟ କନ୍ଦଳ ତୀବ୍ର ହୋଇଛି।