ସାକ୍ଷୀ, ବଜରଙ୍ଗଙ୍କ ପରେ ଭିନେଶ; ଖେଳ ରତ୍ନ ଓ ଅର୍ଜୁନ ପୁରସ୍କାର ଫେରାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଭାରତୀୟ କୁସ୍ତି ମହାସଂଘ (ଡବ୍‌ଲ୍ୟୁଏଫ୍‌ଆଇ)କୁ ନିଲମ୍ବିତ କରାଯାଇଥିଲେ ମଧ୍ୟ କୁସ୍ତି ଯୋଦ୍ଧା ଭିନେଶ ଫୋଗଟ ସାକ୍ଷୀ ମଲ୍ଲିକ ଓ ବଜରଙ୍ଗ ପୁନିଆଙ୍କୁ ସମର୍ଥନ ଜଣାଇବାକୁ ଯାଇ ତାଙ୍କର ଖେଳ ରତ୍ନ ଓ ଅର୍ଜୁନ ପୁରସ୍କାର ଫେରାଇ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଖୋଲା ଚିଠି ଲେଖିଛନ୍ତି। ସାମାଜିକ ଗଣମାଧ୍ୟମରେ ସେ ତାଙ୍କ ଚିଠିକୁ ପୋଷ୍ଟ କରିବା ସହ ଉକ୍ତ ପୁରସ୍କାରଦ୍ବୟ ଯେପରି ତାଙ୍କ ଉପରେ ବୋଝ ହୋଇନଯାଉ ବୋଲି ଚାହିଛନ୍ତି।

ଭିନେଶ ଲେଖିଛନ୍ତି ଯେ, ମହିଳା ଖେଳାଳିମାନେ କେବଳ ସରକାରୀ ବିଜ୍ଞାପନରେ ଛପା ହେବା ପ‌ାଇଁ ଆସିଛନ୍ତି। ଆମ ପଦକର ଆଉ କୌଣସି ଗୁରୁତ୍ବ ନାହିଁ। ଆଗକୁ ଅଲିମ୍ପିକ୍‌ ପଦକ ଜିତିବାକୁ ଯେଉଁ ସ୍ବପ୍ନ ଦେଖିଥିଲି, ତାହା ଏବେ ଭାଙ୍ଗିଯାଇଛି। ଆଶା କରୁଛି ପରବର୍ତ୍ତୀ ପିଢ଼ି ସେହି ସ୍ବପ୍ନ ସାକାର କରିବେ। ଏଥିସହିତ ପ୍ରଧାନମନ୍ତ୍ରୀ ତାଙ୍କ ମୂଲ୍ୟବାନ ସମୟ ମଧ୍ୟରୁ ମାତ୍ର ୫ ମିନିଟ୍‌ ସମୟ ବାହାର କରି ମହିଳା କୁସ୍ତିବିତ୍‌ଙ୍କ କଥାକୁ ଟିଭିରୁ ଶୁଣିବାକୁ ସେ ଅନୁରୋଧ କରିଛନ୍ତି। ଏଥିସହିତ ସମସ୍ତ ପଦକ ଓ ‌ପୁରସ୍କାରର ମୂଲ୍ୟ ବଜାରରେ ମାତ୍ର ୧୫ ଟଙ୍କା ରହିଛି। ହେଲେ ସେହି ପଦକ ଆମ ପାଇଁ ଜୀବନଠୁ ବି ମୂଲ୍ୟବାନ। ଏବେ ଯେତେବେଳେ ଆମେ କ୍ରୀଡ଼ାବିତ୍‌ମାନେ ନ୍ୟାୟ ପାଇଁ ସ୍ବର ଉଠାଉଛୁ, ଆମକୁ ଦେଶଦ୍ରୋହୀ କହି ଦିଆଯାଉଛି। ତେଣୁ ପୁରସ୍କାର ଗ୍ରହଣ କରୁଥିବା ଛବିଠୁ ମୁକ୍ତି ପାଇବା ପାଇଁ ଖେଳରତ୍ନ ଓ ଅର୍ଜୁନ ପୁରସ୍କାର ଫେରାଇ ଦେବାକୁ ଚାହୁଥିବା ନିଜ ଚିଠିରେ ଭିନେଶ ଉଲ୍ଲେଖ କରିଛନ୍ତି।

Related Posts