
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସମସ୍ତଙ୍କୁ ଚକିତ କରିବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଶନିବାର ସକାଳୁ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଗିରଫ କରିବାକୁ ସୋଶାଲ ମିଡିଆରେ ଦାବି ଜୋରଧରିଛି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ #ArrestKohli ଲେଖି ନିଜର ମତ ରଖିବାରେ ଲାଗିଛନ୍ତି। ହେଲେ ଏହା ପଛର କାରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବାଭଳି ଅଟେ।
ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ମଧ୍ୟରେ ଭଲ ବ୍ୟାଟ୍ସମ୍ୟାନ କିଏ? ଏହାକୁ ନେଇ ଦୁଇ ବନ୍ଧୁକଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ମଦ ନିଶାରେ ରୋହିତଙ୍କ ସମର୍ଥକ ଓ ବିରାଟଙ୍କ ସମର୍ଥକଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଏହି ଯୁକ୍ତିତର୍କ ଭୟଙ୍କର ରୂପ ନେଇଥିଲା। ଶେଷରେ ରୋହିତଙ୍କ ସମର୍ଥକଙ୍କୁ ବିରାଟଙ୍କ ଫ୍ୟାନ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ତାମିଲନାଡୁରୁ ଘଟିଥିବା ଏହି ଘଟଣାରେ ପୁଲିସ୍ ନିଜକୁ ବିରାଟଙ୍କ ସମର୍ଥକ କହୁଥିବା ଜଣେ ୨୧ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ସେ ଗିରଫ ହେବା ପରେ ଏବେ ସୋସିଆଲ ମିଡିଆରେ #ArrestKohli ଟ୍ରେଣ୍ଡ ହେବା ଆରମ୍ଭ ହୋଇଛି।
ଏହି ଘଟଣା ନେଇ ତାମିଲନାଡୁର କୀଲାପାଲୁର ପୁଲିସ୍ କହିଛି ଯେ ଏସ୍ ଧର୍ମରାଜ ନାମକ ଜଣେ ଯୁବକ ତାଙ୍କ ବନ୍ଧୁ ପି ବିଗ୍ନେଶଙ୍କୁ ହତ୍ୟା କରିଛନ୍ତି। ଉଭୟ ଆରିୟାଲୁର ଜିଲ୍ଲାର ପୋୟୁର ଗାଁରେ ରୁହନ୍ତି। ଉଭୟ ମଙ୍ଗଳବାର ଏକାଠି ମଦ୍ୟପାନ କରିଥିଲେ। ଏହାପରେ କ୍ରିକେଟକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ବିଗ୍ନେଶ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସକୁ ସମର୍ଥନ କରୁଥିବା ବେଳେ ଧର୍ମରାଜ ଆରସିବି ସମର୍ଥକ।
ମଦ ପିଇ ଉଭୟ କଥାବାର୍ତ୍ତା କରୁଥିବା ବେଳେ ବିଗ୍ନେଶ ଆରସିବି ଓ ବିରାଟ କୋହଲିଙ୍କୁ ତାଚ୍ଛଲ୍ୟ କରିଥିଲେ। ଏହାକୁ ଧର୍ମରାଜ ବିରୋଧ କରିଥିଲେ। ଶେଷରେ ଦୁଇ ଜଣଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ। ଏଥିରେ ରାଗି ଯାଇ ଧର୍ମରାଜ ଗୋଟିଏ ବୋତଲ ଓ ବ୍ୟାଟ ଦ୍ୱାରା ବିଗ୍ନେଶଙ୍କୁ ଆକ୍ରମଣ କରିଥିଲେ।
ସେ ବ୍ୟାଟରେ ବିଗ୍ନେଶଙ୍କ ମୁଣ୍ଡକୁ ପିଟି ଦେଇ ଫେରାର ହୋଇଯାଇଥିଲେ। ମଙ୍ଗଳବାର ରାତିରେ ମାଲ୍ଲୁର ସ୍ଥିତି ସିଡକୋ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟର ଗୋଟିଏ ଖୋଲା ସ୍ଥାନରେ ଏହି ଘଟଣା ଘଟିଥିଲା। ଦିନକ ପରେ ଅର୍ଥାତ ବୁଧବାର ସକାଳୁ କାରଖାନାକୁ ଯାଉଥିବା କର୍ମଚାରୀମାନେ ପ୍ରଥମେ ବିଗ୍ନେଶଙ୍କ ମୃତଦେହ ଦେଖି ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ତଦନ୍ତ ପରେ ବିରାଟ ଓ ରୋହିତଙ୍କ କଥା ସାମ୍ନାକୁ ଆସିଛି।ବିଗ୍ନେଶ ଆଇଟିଆଇ ଶେଷ କରିବା ସହ ସିଙ୍ଗାପୁର ଯିବା ଅପେକ୍ଷାରେ ରହିଥିଲେ। ତାଙ୍କ ଚାକିରି ଭିସା ଆସିବା ପୂର୍ବରୁ ଧର୍ମରାଜ ସାମାନ୍ୟ ଘଟଣାରୁ ତାଙ୍କୁ ହତ୍ୟା କରିଛନ୍ତି। ବିରାଟଙ୍କ ସମର୍ଥକ ରୋହିତଙ୍କ ଫ୍ୟାନଙ୍କୁ ହତ୍ୟା କରିଥିବାରୁ ସୋଶାଲ ମିଡିଆରେ ଝଡ଼ ଦେଖାଯାଇଛି। ଏହାସହିତ ସମସ୍ତେ ବିରାଟ କୋହଲିଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।