ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଝାରଖଣ୍ଡରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜାମସେଦପୁରର ଜଣେ ସ୍କୁଲ୍ ଛାତ୍ରୀଙ୍କୁ ତାଙ୍କ ଶିକ୍ଷୟିତ୍ରୀ ପୋଷାକ ଖୋଲିବାକୁ କହିବାରୁ ଛାତ୍ରୀ ଜଣକ ନିଜ ଶରୀରରେ ନିଆଁ ଲଗାଇ ଦେଇଥିବା ଜାଣିବାକୁ ମିଳିଛି। ପୁଲିସ୍ ପ୍ରାଥମିକ ତଦନ୍ତ କରି ଜାଣିବାକୁ ପାଇଛି ଯେ ଛାତ୍ରୀ ଜଣକ ପରୀକ୍ଷାରେ କପି କରୁଥିଲେ ବୋଲି ଶିକ୍ଷୟିତ୍ରୀଙ୍କର ସନ୍ଦେହ ହୋଇଥିଲା।ସେ ତାଙ୍କ ସ୍କୁଲ୍ ୟୁନିଫର୍ମରେ କପି ଲୁଚାଇ ରଖିଲେ ବୋଲି ସନ୍ଦେହ କରି ଶିକ୍ଷୟିତ୍ରୀ ଜଣକ ତାଙ୍କୁ ନିଜ ୟୁନିଫର୍ମ ଖୋଲିବାକୁ ଆଦେଶ ଦେଇଥିଲେ। ଏହି କଥା କିନ୍ତୁ ଛାତ୍ରୀ ଜଣଙ୍କୁ ଖୁବ୍ ଖରାପ ଲାଗିଥିଲା। ଫଳରେ ଲଜ୍ଜାରେ ସେ ନିଜ ଶରୀରରେ ନିଆଁ ଲଗାଇବା ପରି ଚରମ ନିଷ୍ପତ୍ତି ନେଇଥିଲେ।
ଘଟଣା ଘଟିବା ପରେ ପୀଡ଼ିତା ଛାତ୍ରୀଙ୍କ ପରିବାର ଲୋକ ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲ୍କୁ ନେଇ ଯାଇଥିଲେ। ସେ ଏବେ ହସ୍ପିଟାଲ୍ ଶଯ୍ୟାରେ ଶୋଇ ରହି ନିଜ ଜୀବନ ସହ ସଂଘର୍ଷ କରୁଛନ୍ତି। ପୀଡ଼ିତା ଜଣକ ନିଜ ବୟାନ ଦେଇ କହିଛନ୍ତ ଯେ ପରୀକ୍ଷା ହଲ୍ରେ ଥିବା ଜଣେ ମହିଳା ଇନ୍ଭିଜିଲେଟର୍ ପ୍ରଥମେ ତାଙ୍କ ନିକଟକୁ ଆସିଲେ। ସେ କପି କରୁଛନ୍ତି ବୋଲି ଅଭିଯୋଗ ଆଣି ତାଙ୍କୁ ସମସ୍ତଙ୍କ ସମ୍ମୁଖରେ କପଡ଼ା ଖୋଲିବାକୁ କହିଥିଲେ।
ଉକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି। ପୀଡ଼ିତାଙ୍କ ମାଆ ଏ ନେଇ ନିଜର ବୟାନରେ କହିଛନ୍ତି ଯେ ତାଙ୍କ ଝିଅ ସ୍କୁଲ୍ରୁ ଫେରିବା ପରେ ଏପରି ଚରମ ପଦକ୍ଷେପ ନେଇଛି।
