ମୁମ୍ବାଇ: ଭୋଡାଫୋନ-ଆଇଡିଆ ଓ ଏୟାରଟେଲକୁ ଅସ୍ବସ୍ତି | ସମସ୍ତ ସଂସ୍ଥାକୁ ବ୍ୟାଙ୍କ ଗ୍ୟାରେଣ୍ଟି ଫେରାଇଛନ୍ତି କେନ୍ଦ୍ର ସରକାର । ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ଦୂରସଞ୍ଚାର ବିଭାଗ ଦ୍ୱାରା ଦାଖଲ ଏକ ସ୍ପଷ୍ଟୀକରଣ ଅନୁସାରେ, ମନ୍ତ୍ରାଳୟ ବିଭିନ୍ନ ଟେଲିକମ କମ୍ପାନୀକୁ ବ୍ୟାଙ୍କ ଗ୍ୟାରେଣ୍ଟି ଫେରସ୍ତ କରିଛି । ପ୍ରାୟ ୨୩୦୦୦ କୋଟି ଟଙ୍କା ସେମାନଙ୍କୁ ଫେରସ୍ତ କରାଯାଇଛି । କାରଣ କମ୍ପାନୀମାନେ ସ୍ପେକ୍ଟ୍ରମ୍ ନିଲାମି ବାବଦରେ କିସ୍ତିକୁ ସ୍ଥଗିତ ରଖିବାକୁ ଚାହିଁଥିଲେ । ଏହାସହ ସେମାନଙ୍କୁ ୨୦୨୫ ସୁଦ୍ଧା କୌଣସି କିସ୍ତି ଦେବାକୁ ପଡିବ ନାହିଁ ।
ଏହି ପଦକ୍ଷେପ ଋଣରେ ବୁଡିଥିବା ଭୋଡାଫୋନ-ଆଇଡିଆ ପାଇଁ ଏକ ବଡ ଆଶ୍ୱସ୍ତି ପ୍ରଦାନ କରିବ ବୋଲି କୁହାଯାଉଛି । କମ୍ପାନୀ ଲଗାତର ଭାବେ ସରକାରଙ୍କୁ ବ୍ୟାଙ୍କ ଗ୍ୟାରେଣ୍ଟି ଫେରସ୍ତ ପାଇଁ ଦାବି କରୁଥିଲା । ଏହାଦ୍ୱାରା କମ୍ପାନୀର କରଜ କିଛି ମାତ୍ରାରେ ଲାଘବ ହେବ ବୋଲି ଚର୍ଚା ହେଉଛି |
ସୂତ୍ରାନୁସାରେ, ବ୍ୟାଙ୍କ୍ ଗ୍ୟାରେଣ୍ଟି ଆଧାରରେ ଏୟାରଟେଲକୁ ୭ହଜାର କୋଟି ଟଙ୍କା ଫେରସ୍ତ କରାଯାଇଛି । ସେହିପରି ଭୋଡାଫୋନ୍ ଆଇଡିଆକୁ ୧୫ ହଜାର କୋଟି ସରକାର ଫେରାଇ ଦେଇଛନ୍ତି ।
ନିକଟରେ କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ, ଭୋଡାଫୋନ୍ ଆଇଡିଆ ଓ ଏୟାରଟେଲ ସେମାନଙ୍କ ସ୍ପେକ୍ଟ୍ରମ୍ ନିଲାମ ରାଶିକୁ ସ୍ଥଗିତ ରଖିବା ପାଇଁ ବିକଳ୍ପ ବାଛିଥିଲେ । ତେଣୁ ସରକାର ସେମାନଙ୍କୁ ବ୍ୟାଙ୍କ ଗ୍ୟାରେଣ୍ଟି ଫେରାଇବାକୁ ନିଷ୍ପତ୍ତି ନେଇଥିଲେ ।ଏହି ଅର୍ଥ କମ୍ପାନୀମାନେ ୨୦୧୨, ୨୦୧୪ ଓ ୨୦୧୬ ନିଲାମି ବେଳେ ପ୍ରଦାନ କରିଥିଲେ | ଯାହାକୁ କେନ୍ଦ୍ର ସରକାର ଫେରସ୍ତ କରିଛନ୍ତି |





