ନିଜ ପସନ୍ଦର ପ୍ରାର୍ଥୀଙ୍କୁ ହିଁ ଭୋଟ ଦେବି କହିବାରୁ ଗାଁରୁ ତଡ଼ା ଖାଇଲେ ଭୋଟର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାଖେଇ ଆସୁଛି ରାଜ୍ୟରେ ପଞ୍ଚାୟତ ନିର୍ବାଚନ । ଏନେଇ ନେତାମାନେ ଜୋରଦାର ପ୍ରଚାର କରୁଥିବାବେଳେ ଭୋଟରମାନଙ୍କ ପାଖରେ ମଧ୍ୟ ଦେଖାଦେଇଛି ଢ଼େର ସାରା ଉକ୍ରଣ୍ଠା । ନିଜର ପସନ୍ଦିକାର ପ୍ରାର୍ଥୀଙ୍କୁ ଭୋଟରମାନେ ଭୋଟ ଦେବା ପାଇଁ ରେଡି ମଧ୍ୟ ହୋଇ ସାରିଲେନି । ଏହା ମଧ୍ୟରେ ଗ୍ରାମବାସୀ କହୁଥିବା ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ମନା କରିବାରୁ ଗାଁରୁ ତଡ଼ା ଖାଇଲେ ଭୋଟର । ଏପରି ଅଭିଯୋଗ ଆଣିଛନ୍ତି ଅନନ୍ତ ମହାନନ୍ଦ ନାମକ ବ୍ୟକ୍ତି। ଅନନ୍ତ ମହାନନ୍ଦ କରିଥିବା ଅଭିଯୋଗ ଅନୁଯାୟୀ, ଦାମୋଦର ଯୋଶୀ ନାମକ ଜଣେ ସରପଞ୍ଚ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଗାଁରେ ଭୋଜି ଭାତ ହୋଇଥିଲା ।

ଏହାପରେ ଟଙ୍କା ବାଣ୍ଟିବା ସହ ତାଙ୍କୁ ଭୋଟ ଦେବାକୁ କୁହାଯାଇଥିଲା । ତେବେ ନିଜ ମନ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବେ ବୋଲି କହିଥିଲି। ତେଣୁ ମୋ ଉପରେ ଆରମ୍ଭ ହୋଇ ଯାଇଥିଲା ଜୁଳମ । ମିଳିତ ଭାବେ ଗ୍ରାମବାସୀ ମାଡ଼ ମାରିଥିଲେ ବି ମନ ଶାନ୍ତି ହୋଇ ନ ଥିଲା। ଏହାପରେ ଗାଁରେ କଙ୍ଗାରୁ କୋର୍ଟ ବସାଇ ଗାଁରୁ ବିତାଡିତ କରିଥିଲେ । ଅନନ୍ତ ପରିବାର ସହ ମଣ୍ଡଳ ଗାଁରେ ସଂପର୍କୀୟଙ୍କ ଘରେ ଆଶ୍ରୟ ନେଇଛନ୍ତି । ଜୀବନ ପ୍ରତି ଭୟ ଥିବା ପୁଲିସ୍ ପାଖକୁ ଯାଇପାରୁ ନ ଥିବା କହିଛନ୍ତି । ଅନନ୍ତଙ୍କ ଅଭିଯୋଗ ନେଇ ଜମାଖାରୀ ଗ୍ରାମବାସୀ କିମ୍ବା ସରପଞ୍ଚ ପ୍ରାର୍ଥୀ ଦାମୋଦର ଯୋଶୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Related Posts