
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଓଡ଼ିଶାରେ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଦଳମାନେ ପୁରା ଚଳଚଞ୍ଚଳ ହୋଇ ଉଠିଛନ୍ତି । ସେପଟେ ଚଳିତ ଥର ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ୟ୍ୟାୟରେ ଭୋଟ ଗ୍ରହଣ ବେଳେ ବାଧାପ୍ରାପ୍ତ ହୋଇଥିବା ବୁଥ ଗୁଡି଼କରେ ଆସନ୍ତା ୨୩ତାରିଖରେ ସାନି ମତଦାନ ହେବ । ଏନେଇ ରାଜ୍ୟ ନିର୍ବାଚନ କମିସନର ପକ୍ଷରୁ ସୂଚନା ମିଳିଛି । ଫଳରେ ଢେଙ୍କାନାଳ ଜିଲ୍ଲାର ଗଁନ୍ଦିଆ ବ୍ଲକର ନିହଲ ପ୍ରସାଦ ପଞ୍ଚାୟତର ୪ଟି ବୁଥରେ ଏହି ସାନି ମତଦାନ ହେବ ବୋଲି ଜଣାପଡିଛି । ନିହଲ ପ୍ରସାଦ ପଞ୍ଚାୟତର ବୁଥ ନଂ ୨, ୬, ୭ ଓ ୧୧ ରେ ଏହି ସାନି ମତଦାନ ହେବ ।
ଗତ ୧୬ତାରିଖ ପ୍ରଥମ ପର୍ୟ୍ୟାୟରେ ନିହଲ ପ୍ରସାଦ ବୁଥ ନଂ ୨,୬ ଓ ୭ବୁଥ୍କୁ କବ୍ଜା କରି ଜବରଦସ୍ତ ଭୋଟ କରିଥିବା ଯୋଗୁଁ ଏଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ସେହିପରି ନିହଲ ପ୍ରସାଦ ପଞ୍ଚାୟତର ସରକାରୀ ନୋଡାଲ ଉପ୍ରା ବିଦ୍ୟାଳୟରେ ହୋଇଥିବା ବୁଥ ନଂ ୧୧ରେ ବ୍ୟାପକ ଭଙ୍ଗାରୁଜା କରିବା ସହ ଦୁର୍ବୁତ୍ତ ମାନେ ଭୋଟ ବାକ୍ସ ନେଇ ପଳାଇଥିଲେ । ଫଳରେ ଏହି ୪ଟି ବୁଥରେ ଭୋଟ ଗ୍ରହଣ ବାଧାପ୍ରାପ୍ତ ହୋଇଥିଲା । ଏ ସମ୍ପର୍କରେ ଢେଙ୍କାନାଳ ଜିଲ୍ଲାପାଳଙ୍କ ପକ୍ଷରୁ ରାଜ୍ୟ ନିର୍ବାଚନ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଫଳରେ ଏହି ସାନି ମତଦାନ ପାଇଁ ରାଜ୍ୟ କମିଶନର ଘୋଷଣା କରିଛନ୍ତି ।