କାଠମାଣ୍ଡୁ (ସତ୍ୟପାଠବ୍ୟୁରୋ): ବିଶ୍ୱ ମଞ୍ଚରେ ନେପାଳ ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ଦମଦାର ବାର୍ତ୍ତା ଦେଇଛନ୍ତି। ଜାତିସଂଘ ସାଧାରଣ ସଭାରେ ନିଜର ପ୍ରଥମ ଅଭିଭାଷଣରେ ବିଶ୍ୱ ବ୍ୟବସ୍ଥାକୁ ନେଇ ଉଠାଇଲେ ବଡ଼ ପ୍ରଶ୍ନ। ଜଳବାୟୁ ପରିବର୍ତ୍ତନଠାରୁ ଆରମ୍ଭ କରି ଯୁଦ୍ଧ ଏବଂ ବିଶ୍ୱ ଯୋଗାଣ ବ୍ୟବସ୍ଥା- ସବୁକୁ ନେଇ ରଖିଲେ ନିଜର ମତ। ବାଲେନ ଶାହ କହିଛନ୍ତି, ବିଶ୍ୱ ଏମିତି ଏକ ବ୍ୟବସ୍ଥା ତିଆରି କରିଛି, ଯେଉଁଠି ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ଅତି ସହଜରେ ସୀମା ପାର ହୋଇପାରୁଛି, କିନ୍ତୁ ଲୋକଙ୍କ ମୌଳିକ ଆବଶ୍ୟକତା- ଖାଦ୍ୟ, ସାର, ଇନ୍ଧନ ଭଳି ଜରୁରୀ ସାମଗ୍ରୀ ପହଞ୍ଚାଇବାରେ ବ୍ୟବସ୍ଥା ବିଫଳ ହେଉଛି ।
କେବଳ ନେପାଳ ନୁହେଁ, ଏହି ସମସ୍ୟା ଦକ୍ଷିଣ ଏସିଆର ଅନେକ ଦେଶ ଭୋଗୁଛନ୍ତି ବୋଲି ବାଲେନ ଶାହ କହିଛନ୍ତି । ନିଜ ଅଭିଭାଷଣରେ ସେ ସିଧାସଳଖ ଭାବେ କହିଛନ୍ତି “ବାଂଲାଦେଶକୁ ପଚାରନ୍ତୁ, ଭୁଟାନକୁ ପଚାରନ୍ତୁ, ଭାରତକୁ ପଚାରନ୍ତୁ, ମାଲଦ୍ୱୀପ, ପାକିସ୍ତାନ ଓ ଶ୍ରୀଲଙ୍କାକୁ ପଚାରନ୍ତୁ ।” ଜଳବାୟୁ ପରିବର୍ତ୍ତନ ଓ ଯୁଦ୍ଧର ପ୍ରଭାବକୁ ନେଇ ମଧ୍ୟ ସେ ଦକ୍ଷିଣ ଏସିଆର ସ୍ଥିତି ଉପରେ ଆଲୋକପାତ କରିଛନ୍ତି । ତାଙ୍କ କହିବା ଅନୁସାରେ, ଏହି ଦେଶଗୁଡ଼ିକ ଯେଉଁ ଜଳବାୟୁ ସଙ୍କଟ ସୃଷ୍ଟି କରିନାହାନ୍ତି, ତାହାର ପ୍ରଭାବ ସେମାନେ ଭୋଗୁଛନ୍ତି । ସେହିପରି ଯେଉଁ ଯୁଦ୍ଧ ସେମାନେ ଆରମ୍ଭ କରିନାହାନ୍ତି, ତାହାର ପ୍ରଭାବ ମଧ୍ୟ ସହିବାକୁ ପଡ଼ୁଛି । ନେପାଳର ଅନୁଭୂତିକୁ ଉଦାହରଣ ଭାବେ ରଖି ବାଲେନ କହିଛନ୍ତି, ଚାଷୀଙ୍କୁ ଠିକ୍ ସମୟରେ ସାର ମିଳୁନାହିଁ, ରାସ୍ତା ନିର୍ମାଣ ପାଇଁ ଆବଶ୍ୟକ ସାମଗ୍ରୀ ମିଳୁନାହିଁ ଏବଂ ଘରେ ରୋଷେଇ ପାଇଁ ଇନ୍ଧନର ଅଭାବ ଦେଖାଦେଉଛି। ଏହା ସହିତ ହିମାଳୟ ଅଞ୍ଚଳ ପାଇଁ ଏକ ମିଳିତ Climate Resilience System ଗଠନର ଆହ୍ୱାନ ଦେଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ। ଭାରତ, ଚୀନ୍ ଓ ନେପାଳ ମିଳିତ ଭାବେ ଏହି ବ୍ୟବସ୍ଥାର ନେତୃତ୍ୱ ନେବାକୁ ସେ ପ୍ରସ୍ତାବ ରଖିଛନ୍ତି । ତେବେ ବାଲେନ ଶାହଙ୍କ ଏହି ଅଭିଭାଷଣର ମୁଖ୍ୟ ବାର୍ତ୍ତା ହେଉଛି- ଯଦି ବିଶ୍ୱ ଅସ୍ତ୍ରଶସ୍ତ୍ରକୁ ଅତି ଦ୍ରୁତ ଭାବେ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ପହଞ୍ଚାଇପାରୁଛି, ତେବେ ଚାଷୀଙ୍କ ହାତରେ ଠିକ୍ ସମୟରେ ସାର, ଖାଦ୍ୟ ଓ ଇନ୍ଧନ ପହଞ୍ଚାଇବାରେ ବିଶ୍ୱ ବ୍ୟବସ୍ଥା କାହିଁକି ବିଫଳ ହେଉଛି? ଏହି ପ୍ରଶ୍ନକୁ ନେଇ ଜାତିସଂଘର ମଞ୍ଚରେ ବିଶ୍ୱ ନେତାଙ୍କ ସମ୍ମୁଖରେ ନିଜର ମତ ରଖିଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ବାଲେନ ଶାହ ।
