ଜଳସମ୍ପଦ ବିଭାଗ କର୍ମଚାରୀଙ୍କ ଛୁଟି ବାତିଲ

ସତ୍ୟପାଠ ବ୍ୟୁରୋ : ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗର ସମସ୍ତ ଯନ୍ତ୍ରୀ ଏବଂ ଅନ୍ୟ କର୍ମଚାରୀମାନଙ୍କୁ ନିଜ ହେଡ୍ କ୍ବାର୍ଟର୍ସ ନ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବିଭାଗୀୟ ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ଜେନା। ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କର ନିର୍ବାହୀ ଯନ୍ତ୍ରୀମାନେ ସେମାନଙ୍କ ଅଧୀନରେ ଥିବା ନଦୀବନ୍ଧଗୁଡ଼ିକୁ ପରିଦର୍ଶନ କରି ସମ୍ବେଦନଶୀଳ ସ୍ଥାନଗୁଡ଼ିକର ସୁରକ୍ଷା ପାଇଁ ବାଲିବସ୍ତା, ବହ୍ଲା, ବାଉଁଶ ଇତ୍ୟାଦି ଯଥେଷ୍ଟ ପରିମାଣର ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ଆବଶ୍ୟକ ସଂଖ୍ୟକ ଟ୍ରାକ୍ଟର, ଏସ୍କାଭେଟର ଓ ଅନ୍ୟ ଯନ୍ତ୍ରପାତି ସହିତ ପ୍ରସ୍ତୁତ ହୋଇ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ୧୧ଟି ଜିଲ୍ଲାର କର୍ମଚାରୀମାନଙ୍କ ଛୁଟି ବାତିଲ କରିବାକୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସ୍ବତନ୍ତ୍ର ରିଲିଫ କମିସନର ମଧ୍ୟ ଚିଠି ଲେଖିଛନ୍ତି। ବନ୍ୟା ସମ୍ବନ୍ଧୀୟ ତଥ୍ୟର ଆଦାନ ପ୍ରଦାନ ପାଇଁ ସମସ୍ତ ଡିଭିଜନ, ସର୍କଲ, ମୁଖ୍ୟଯନ୍ତ୍ରୀ ଏବଂ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ ବନ୍ୟା ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି।

Related Posts