ରାଉରକେଲା,(ସତ୍ୟପାଠବ୍ୟୁରୋ): ସୁନ୍ଦରଗଡ ନୂଆଗାଁ ବ୍ଲକ ଅନ୍ତର୍ଗତ କକେରମା ଗ୍ରାମପଞ୍ଚାୟତର ବଡାଇକଟୋଲା ଅଞ୍ଚଳରେ ଏକ ଦନ୍ତା ହାତୀ ତାଣ୍ଡବ ରଚିଛି। ଗାଁ ଭିତରେ ଦନ୍ତା ମାତିଥିବାବେଳେ ଯାହା ମୁହଁରେ ପଡ଼ିଲା ନଷ୍ଟ କରିଥିବା ଦେଖିବାକୁ ମିଳିଛି। ଦୁଇ ଜଣଙ୍କ ଘର ଭାଙ୍ଗି ଥିବାବେଳେ ଚାରି ବସ୍ତା ଚାଉଳ ଖାଇଦେଇଥିବା ଜଣାପଡ଼ିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ସୂଚନା ଅନୁସାରେ, ଦନ୍ତା ହାତୀଟି ବଡାଇକଟୋଲା ଗାଁରେ ପଶି ସୁମିତ୍ରା ବଡାଇକ (୭୮) ଓ ପାର୍ବତୀ ବଡାଇକ (୩୮)ଙ୍କ ଘରକୁ ଭାଙ୍ଗି ଦେଇଥିଲା। ପରେ ହାତୀଟି କର୍କଟନାସା ପଞ୍ଚାୟତ ଅଞ୍ଚଳକୁ ପ୍ରବେଶ କରି ଘରେ ରଖାଯାଇଥିବା ପ୍ରାୟ ୪ ବସ୍ତା ଚାଉଳ ଖାଇ ଦେଇଥିବା ଜଣାପଡ଼ିଛି। ହାତୀର ଏଭଳି ଉପଦ୍ରବ ଯୋଗୁଁ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଘଟଣା ସମ୍ପର୍କରେ କକେରମା ସରପଞ୍ଚ ସାଳିମା ଓରାମ ଅବଗତ ହେବା ପରେ କ୍ଷତିଗ୍ରସ୍ତ ପରିବାରଙ୍କୁ ନିକଟସ୍ଥ ଆରଆଇଙ୍କ ନିକଟରେ ଅଭିଯୋଗ କରି କ୍ଷୟକ୍ଷତିର ଆକଳନ କରାଇବାକୁ ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ବନ ବିଭାଗ ଅଧିକାରୀ ସୁଶୀଲ କୁମାର କେରକେଟା ଘଟଣାସ୍ଥଳ ସମ୍ପର୍କରେ ଅବଗତ ହୋଇ କ୍ଷତିଗ୍ରସ୍ତ ଲୋକଙ୍କୁ ସରକାରୀ ନିୟମ ଅନୁଯାୟୀ ହାତୀଜନିତ କ୍ଷତିପୂରଣ ପାଇଁ ଆବେଦନ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ହାତୀ ଚଳାଚଳ କରୁଥିବା ଅଞ୍ଚଳରେ ଲୋକମାନେ ସତର୍କ ରହିବା ସହ ରାତି ସମୟରେ ଘରୁ ବାହାରିବା ବେଳେ ବିଶେଷ ସାବଧାନତା ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଛନ୍ତି।
