
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଧାମନଗର ଉପନିର୍ବାଚନ ପାଇଁ ଏବେ ରାଜନୈତିକ ମହୋଲ ସରଗରମ ହୋଇ ଗଲାଣି । ରାଜ୍ୟର ୩ ପ୍ରମୁଖ ଦଳ ଉପନିର୍ବାଚନ ପାଇଁ ନିଜର ପ୍ରାର୍ଥୀ ମଧ୍ୟ ଘୋଷଣା କରି ସାରିଛନ୍ତି। କ୍ଷେତ୍ର ସଂପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଥିବା ବେଳେ ଏବେ ନେତାମାନଙ୍କ ବୟାନବାଜି ଆରମ୍ଭ ହୋଇଯାଇଛି। ସମସ୍ତେ ନିଜର ବିଜୟ ନେଇ ଦୃଢ଼ତା ଦେଖାଉଛନ୍ତି। ତେବେ ଧାମନଗର ଉପନିର୍ବାଚନ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ସେ କହିଛନ୍ତି ଯେ, ଅର୍ଥ ବଳ, ବାହୁ ବଳ ଓ ସରକାରୀ କଳକୁ ନେଇ ବିଜେଡ଼ି ନିର୍ବାଚନ ଲଢେ। ସେମାନେ ଲୋକପ୍ରିୟତାର କେବଳ ବାହାସ୍ପୋଟ ମାରେ ବୋଲି କହିଛନ୍ତି ବିଜେପିର ବରିଷ୍ଠ ନେତା ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର।
ଧାମନଗର ଉପନିର୍ବାଚନକୁ ନେଇ ସିଧାସିଧା ବିଜେଡି ଉପରେ ବର୍ଷିଛନ୍ତି ଜୟନାରାୟଣ । ଆଉ କହିଛନ୍ତି ଧାମନଗର ଉପନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିବ।ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ସ୍ଥିତିପ୍ରଜ୍ଞଙ୍କ ପ୍ରତି ଲୋକଙ୍କ ସମର୍ଥନ ବଢିବାରେ ଲାଗିଛି । ଲୋକେ ଯେଉଁ ଭରଷା ବିଷ୍ଣୁ ବାବୁଙ୍କ ଉପରେ ରଖିଥିଲେ ସେ ଭରଷା ତାଙ୍କ ପୁଅଙ୍କ ଉପରେ ରଖିବେ । ଧାମନଗରେ ବିଜେପିର ଭଲ ସଙ୍ଗଠନ ରହିଛି । ଆଉ ଉପନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି।
ଶ୍ରୀ ମିଶ୍ର ଆହୁରି କହିଛନ୍ତି ବିଜେଡ଼ିରେ ଅଯୋଗ୍ୟତା ସବୁବେଳେ ଯୋଗ୍ୟତା ହୁଏ । କାହା ଦୁର୍ବଳତା ବିଜେପି ପାଇଁ ସବଳତା ନୁହେଁ । ରାଜେନ୍ଦ୍ର ଦାସଙ୍କ ବିଦ୍ରୋହ ବିଜେପିକୁ ଲାଭ ଦେଇପାରେ କି ପ୍ରଶ୍ନରେ ଜୟ ନାରାୟଣ କହିଲେ ଯେ ସବୁଠି ଅସନ୍ତୋଷର ଫାଇଦା ବିରୋଧିଙ୍କୁ ମିଳେ । ଏଠି ବି ମିଳିପାରେ। ଧାମନଗରରେ ବୁଥ୍ ସ୍ତରରେ, ୱାର୍ଡ ସ୍ତରରେ ବିଜେପିର ସଙ୍ଗଠନ ଅଛି ତେଣୁ ଦଳ ଏଠାରେ ନିଶ୍ଚୟ ଜିତିବ। ଧାମନଗରରେ ଓଡ଼ିଶାର ତିନି ଜଣ କେନ୍ଦ୍ର ମନ୍ତ୍ରୀ ପ୍ରଚାର କରିବେ । ବିଜେଡ଼ି ସରକାରରେ ଅନେକ ଅଯୋଗ୍ୟ ମନ୍ତ୍ରୀ ଅଛନ୍ତି । ନିଜ ବିଭାଗ ବିଷୟରେ ମନ୍ତ୍ରୀ ମାନେ ଜାଣୁନାହାନ୍ତି । ଅର୍ଥ ବଳ, ବାହୁ ବଳ ଓ ସରକାରୀ କଳକୁ ନେଇ ବିଜେଡ଼ି ନିର୍ବାଚନ ଜିତୁଛି । ଆଉ ଧାମନଗର ବାସୀ ଏହାର ଉଚିତ ଜବାବ ଦେବେ ବୋଲି ଜୟନାରାୟଣ କହିଛନ୍ତି ।