‘ରାଜ୍ୟରେ ଅମଲାତନ୍ତ୍ର ଶାସନ ଚାଲିଛି’; ମୁଖ୍ୟ ଶାସନ ସଚିବଙ୍କୁ ବୟନ ଶିଳ୍ପ ମନ୍ତ୍ରୀ ଭେଟିବା ପ୍ରସଙ୍ଗ ଉଠାଇ ବର୍ଷିଲେ ନରସିଂହ

ଭୁବନେଶ୍ୱର,୧୮/୩(ସତ୍ୟପାଠ ବ୍ୟୁରୋ): ଆଜି ବିଧାନସଭା ଶୂନ୍ୟକାଳରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ବୟନ ଶିଳ୍ପ ମନ୍ତ୍ରୀ ରିତା ସାହୁ ଭେଟି ଚେକ ଦେବା ପ୍ରସଙ୍ଗ ଉଠାଇ ଜୋରଦାର ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ସେ ଦାବି କରିଛନ୍ତି । ଗୃହରେ ନରସିଂହ ମିଶ୍ର କହିଥିଲେ, ମନ୍ତ୍ରୀ ମାନେ ହେଉଛନ୍ତି ସରକାର। ସରକାରଙ୍କ ପାଖକୁ କର୍ମଚାରୀ ଯିବ ନା କର୍ମଚାରୀ ପାଖକୁ ସରକାର ଯିବ? ରାଜ୍ୟରେ ଅମଲାତନ୍ତ୍ର ଶାସନ ଚାଲିଛି। ଦିନ ଦି ପ୍ରହରରେ ଗଣତନ୍ତ୍ରକୁ ଧର୍ଷଣ କରାଯାଉଛି। ମନ୍ତ୍ରୀ ଯାଇ ମୁଖ୍ୟ ଶାସନ ସଚିବଙ୍କୁ ଭେଟୁଛନ୍ତି। ତେଣୁ ଆଗକୁ ଏମିତି ଆଉ ହେବ ବୋଲି ନାହିଁ ବୋଲି ମନ୍ତ୍ରୀ ଗୃହରେ କ୍ଷମା ମାଗନ୍ତୁ। ମୁଖ୍ୟ ଶାସନ ସଚିବ ବି ଅନୁତାପ କରନ୍ତୁ।

ସେପଟେ ନରସିଂହ ମିଶ୍ର କହୁଥିବା ବେଳେ ଗୃହରେ ଏହାର ବିରୋଧ କରି ଜାଵବ ରଖିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ। ସେ କହିଥିଲେ ଜଣେ ମନ୍ତ୍ରୀଙ୍କୁ କୁହନ୍ତୁ, ସବୁ ମନ୍ତ୍ରୀମାନଙ୍କୁ କୁହନ୍ତୁ ନାହିଁ। ରାଇଡର ଯଦି ଠିକ ଅଛି ଘୋଡ଼ା ଠିକ ଚାଲିବ। ଏଭଳି କହିକି ମନ୍ତ୍ରୀମାନଙ୍କ କ୍ଷମତା କ୍ଷୁର୍ଣ୍ଣ କରାଯାଉଛି। ଯେତେବେଳେ ଯାହା ପ୍ରଶ୍ନ କରିବେ ମୁଁ ଖୋଲାଖୋଲି ଉତ୍ତର ଦେବି। ମୋତେ ବାଚସ୍ପତି ଡାକିଥିବାରୁ ମୁଁ ଛିଡ଼ା ହୋଇଛି ବୋଲି ନିରଞ୍ଜନ ପୂଜାରୀ କହିଥିଲେ।

ମନ୍ତ୍ରୀଙ୍କ ଏଭଳି ବୟାନ ପରେ ଗୃହରେ ବିରୋଧୀ ସଦସ୍ୟ ମାନେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ସାମ୍ନାରେ ନତମସ୍ତକ ହୋଇଥିବା ଫୋଟୋ ଦେଖାଇ ଜୋରଦାର ହଂଗାମା କରିଥିଲେ।

ସେପଟେ ନରସିଂହ ମିଶ୍ରଙ୍କ ମନ୍ତବ୍ୟକୁ ବିରୋଧ କରି କଂଗ୍ରେସ ଓ ବିଜେଡି ଗୃହରେ ମୁହାଁମୁହିଁ ହୋଇଥିଲେ। ଗୃହରେ ମଧ୍ୟଭାଗରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ନାରବାଜି କରିଥିଲେ। ବିରୋଧୀ ଓ ଶାସକଙ୍କ ଭିତରେ କଥା କଟାକଟି ଚାଲିଥିଲା। ନିଜ ନିଜ ସ୍ଥାନରେ ଛିଡ଼ା ହୋଇ ନାରାବାଜି କରିଥିଲେ ଶାସକ ଦଳ ସଦସ୍ୟ। ଏହାପରେ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ।

Related Posts