‘ଗୁଜୁରାଟରେ ଆମେ ନିଶ୍ଚୟ ଜିତିବୁ’; ନିର୍ବାଚନ ତାରିଖ ଘୋଷଣା ପରେ କେଜ୍ରିୱାଲଙ୍କ ଦମ୍ଭୋକ୍ତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଆଜି ନିର୍ବାଚନ ଆୟୋଗ (ଇସିଆଇ) ଘୋଷଣା କରିଛନ୍ତି। ଗୁଜୁରାଟରେ ଡିସେମ୍ବର ୧ ଏବଂ ୫ ରେ ଦୁଇଟି ପର୍ଯ୍ୟାୟରେ ୧୮୨ ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ଗୁଜୁରାଟ ବିଧାନସଭା ନିର୍ବାଚନର ଫଳାଫଳ ୮ ଡିସେମ୍ବରରେ ଆସିବ । ନିର୍ବାଚନ ତାରିଖ ଘୋଷଣା ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଗୁଜୁରାଟୀ ଭାଷାରେ ଗୁଜୁରାଟବାସୀଙ୍କୁ ଏକ ବାର୍ତ୍ତା ଦେଇଛନ୍ତି।

ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି ଯେ, ଗୁଜୁରାଟର ଲୋକମାନେ ଏଥର ଏକ ବଡ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ଅଛନ୍ତି। ଆମେ ଗୁଜୁରାଟ ନିର୍ବାଚନ ନିଶ୍ଚିତ ଭାବେ ଜିତିବୁ ବୋଲି ସେ ଦମ୍ଭୋକ୍ତି ଦେଖାଇଛନ୍ତି । ସେହିପରି କେଜ୍ରିୱାଲ ତାଙ୍କର ଏକ ଭିଡିଓ ମଧ୍ୟ ଟ୍ୱିଟ କରିଛନ୍ତି। ଯେଉଁଥିରେ ସେ ଗୁଜରାଟୀରେ କଥା ହେଉଥିବା ଦେଖିବାକୁ ମିଳିଛି । ଏହି ଭିଡିଓର କ୍ୟପସନରେ କେଜ୍ରିୱାଲ ଲେଖିଛନ୍ତି, ଗୁଜୁରାଟର ଲୋକଙ୍କୁ ମୋର ସ୍ନେହପୂର୍ଣ୍ଣ ବାର୍ତ୍ତା… ଏହି ଭିଡିଓରେ ସେ ଗୁଜୁରାଟ ବାସୀଙ୍କୁ ତାଙ୍କ ଦଳକୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି। ଏହାସହିତ ବିଭିନ୍ନ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଆଗାମୀ ଦିନରେ ସରକାରକୁ ଆସିଲେ ୩୦୦ ୟୁନିଟ ମାଗଣା ବିଜୁଳି, ଶିକ୍ଷା ବ୍ୟବସ୍ଥାରେ ସୁଧାର, ବିଶ୍ବସ୍ତରୀୟ ସ୍କୁଲ, ସମସ୍ତଙ୍କୁ ଅଯୋଧ୍ୟା ରାମ ମନ୍ଦିର ବୁଲାଇ ନେବା ଏଭଳି ଅନେକ ପ୍ରତିଶ୍ରୁତି ସେ ଏହି ଭିଡିଓରେ ଦେଇଛନ୍ତି। ସେହିଭଳି ଗୁଜୁରାଟରେ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ସେନେଇ ଆସନ୍ତା ୪ ତାରିଖରେ ଘୋଷଣା ହେବ। ଏଥିପାଇଁ ଏବେ ଦଳ ତରଫରୁ ଏକ ସର୍ଭେ ଚାଲିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଗୁଜୁରାଟରେ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଡିସେମ୍ବର ୧ ଏବଂ ୫ ରେ ଦୁଇଟି ପର୍ଯ୍ୟାୟରେ ହେବ, ଏବଂ ହିମାଚଳ ପ୍ରଦେଶ ସହିତ ଡିସେମ୍ବର ୮ ରେ ଭୋଟ୍ ଗଣନା କରାଯିବ। ଡିସେମ୍ବର ୧ ରେ ପ୍ରଥମ ପର୍ଯ୍ୟାୟରେ ୮୯ ବିଧାନସଭା ଆସନ ଏବଂ ଡିସେମ୍ବର ୫ ରେ ଦ୍ୱିତୀୟ ପର୍ଯ୍ୟାୟରେ ୯୩ ବିଧାନସଭା ଆସନରେ ଭୋଟ୍ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ହେଉଛି ନଭେମ୍ବର ୧୪ । ଏଥି ସହିତ, ଦ୍ୱିତୀୟ ପର୍ଯ୍ୟାୟରେ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ନଭେମ୍ବର ୧୭ ହେବ । ଗୁଜୁରାଟରେ ସମୁଦାୟ ୪,୯୦,୮୯,୭୬୫ ଭୋଟର ଅଛନ୍ତି । ଏଥିରେ ପୁରୁଷ ଭୋଟର ୨,୫୩,୩୬,୬୧୦ ଏବଂ ୨,୩୭,୫୧,୭୩୮ ମହିଳା ଭୋଟର ଅନ୍ତର୍ଭୁକ୍ତା ସୂଚନା ଅନୁଯାୟୀ, ୧୮୨ ସଦସ୍ୟ ବିଶିଷ୍ଟ ଗୁଜୁରାଟ ବିଧାନସଭାର କାର‌୍ୟ୍ୟକାଳ ଆସନ୍ତା ବର୍ଷ ଫେବୃଆରୀ ୧୮ ରେ ଶେଷ ହେବ।

Related Posts