‘ଦୀପାବଳି ପୂର୍ବରୁ ତୁମକୁ ହତ୍ୟା କରିବୁ’; ଅଭିନେତ୍ରୀ ଶେହନାଜ ଗିଲଙ୍କ ବାପାଙ୍କୁ ଫୋନରେ ହତ୍ୟା ଧମକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଲୋକପ୍ରିୟ ଅଭିନେତ୍ରୀ ତଥା ‘ବିଗ୍ ବସ୍ ୧୩’ର ପ୍ରତିଯୋଗୀ ଶେହନାଜ ଗିଲଙ୍କ ବାପା ସନ୍ତୋଖ ସିଂ ଗିଲଙ୍କୁ ହତ୍ୟା ଧମକ। ତାଙ୍କୁ ଫୋନ ଯୋଗେ ହତ୍ୟା ଧମକ ଦିଆଯାଇଥିବା ସୂଚନା ମିଳିଛି। ଧମକ ଦେଇଥିବା ବ୍ୟକ୍ତି ଫୋନରେ କହିଛନ୍ତି ଯେ ଦୀପାବଳି ପୂର୍ବରୁ ତୁମକୁ ହତ୍ୟା କରିବୁ। ପଞ୍ଜାବର ବ୍ୟାସରୁ ତରନତାରନ ଯାଉଥିବାବେଳେ ସନ୍ତୋଖ ସିଂଙ୍କୁ ଫୋନ ଯୋଗେ ଏଭଳି ଧମକ ମିଳିଥିଲା।ଏଭଳି କଲ୍ ଆସିବା ପରେ ଶେହନାଜଙ୍କ ପରିବାର ଏବେ ଚିନ୍ତାରେ ପଡ଼ିଛନ୍ତି। ସନ୍ତୋଖ ସିଂ ଏଭଳି ଧମକପୂର୍ଣ୍ଣ ଫୋନ କଲ୍ ପାଇଁ ପୁଲିସରେ ଅଭିଯୋଗ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ସନ୍ତୋଖ ସିଂଙ୍କୁ ହତ୍ୟା ଧମକ ମିଳିଥିବା ବେଳେ ତାଙ୍କ ଉପରେ ଆକ୍ରମଣ କରାଯାଇଛି।

ପୁଲିସରେ ସନ୍ତୋଖ ସିଂ କରିଥିବା ଅଭିଯୋଗ ମୁତାବକ, କଲ୍ କରୁଥିବା ବ୍ୟକ୍ତି ସନ୍ତୋଖ ସିଂଙ୍କୁ ଦୁର୍ବ୍ୟବହାର କରି କହିଥିଲେ ଯେ, ସେ ଦୀପାବଳି ପୂର୍ବରୁ ତାଙ୍କୁ ହତ୍ୟା କରିବେ। ତାଙ୍କୁ ଏକ ବିଦେଶୀ ନମ୍ବରରୁ କଲ ଆସିଥିବା ଏତଲାରେ ଦର୍ଶାଇଛନ୍ତି ସନ୍ତୋଖ।

ସୂଚନାଯୋଗ୍ୟ ଯେ, ଡିସେମ୍ବର ୨୫, ୨୦୨୧ରେ, ଶେହନାଜଙ୍କ ବାପାଙ୍କୁ ଦୁଇ ଜଣ ଆକ୍ରମଣ କରିଥିଲେ। ସେ ଯେତେବେଳେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ସେତେବେଳେ ଏହି ଆକ୍ରମଣ ହୋଇଥିଲା। ଦୁଇଜଣ ଅଜ୍ଞାତ ବ୍ୟକ୍ତି ସନ୍ତୋଖ ସିଂଙ୍କ ଉପରକୁ ଗୁଳି ଚଳାଇଥିଲେ ଯେଉଁଥିରେ ସେ ଅଳ୍ପକେ ବଞ୍ଚି ଯାଇଥିଲେ। ଚାରିଟି ଗୁଳି ତାଙ୍କ କାରରେ ବାଜିଥିଲେ ମଧ୍ୟ ତାଙ୍କ ଦେହରେ ଆଘାତ ଲାଗିନଥିଲା। ଘଟଣା ସମୟରେ ସେ ଅମୃତସରରୁ ବ୍ୟାସକୁ ଯାଉଥିବା ରାସ୍ତାରେ ଗାଡି ଅଟକାଇ ଠିଆ ହୋଇଥିଲେ।

Related Posts