‘ନୀତିଶଙ୍କୁ ଦିଲ୍ଲୀ ପଠାଇବୁ, ତେଜସ୍ଵୀ ବିହାର ସମ୍ଭାଳିବେ’: ଲାଲୁ ଯାଦବ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ପ୍ରତିଷ୍ଠାତା ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ବୁଧବାର ଦଳର ଅଧ୍ୟକ୍ଷ ନିର୍ବାଚନ ପାଇଁ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହାପରେ ସେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଭାଜପାକୁ ଦେଶରୁ ହଟାଇବାକୁ ପଡିବ। ସମସ୍ତ ବିରୋଧୀ ଦଳଙ୍କୁ ଏକାଠି କରିବାକୁ ପଡିବ। ସେ ଆହୁରି କହିଛନ୍ତି ଯେ ମୁଁ ଚାହୁଁଛି ତେଜସ୍ବୀ ଯାଦବ ବିହାରକୁ ପରିଚାଳନା କରନ୍ତୁ। ଆମେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଦିଲ୍ଲୀ ପଠାଇବୁ। ଲାଲୁଙ୍କ ଏଭଳି ସଙ୍କେତ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ହେବାରେ ଲାଗିଛି।

ଏଥିସହିତ ସୋନିଆ ଗାନ୍ଧୀଙ୍କ ସହ ନିକଟରେ ହୋଇଥିବା ବୈଠକ ସମ୍ପର୍କରେ ଲାଲୁ ସୂଚନା ପ୍ରଦାନ କରିଛନ୍ତି। ଯାଦବ କହିଛନ୍ତି ଯେ ଆମେ ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ଯାଇଥିଲୁ। ଫଟୋ ଉଠାଇବାକୁ ଯାଇ ନଥିଲୁ। ତାଙ୍କ ସହ ଭଲ କଥାବାର୍ତ୍ତା ହୋଇଛି। କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ପରେ ସେ ସୋନିଆଙ୍କୁ ପୁଣି ଭେଟିବେ ବୋଲି କହିଛନ୍ତି ଲାଲୁ।

ସୂଚନାଯୋଗ୍ୟ,ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଲାଲୁ ପ୍ରସାଦ ଯାଦବ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। ପରେ, ନୀତୀଶ ଏବଂ ଲାଲୁ କହିଥିଲେ ଯେ ୨୦୨୪ ଲୋକସଭା ନିର୍ବାଚନରେ ଏକଜୁଟ ହୋଇ ଭାଜପା ସହ ଲଢ଼ିବା ପାଇଁ ବ୍ୟାପକ ସହମତି ରହିଛି, କିନ୍ତୁ ନୂତନ କଂଗ୍ରେସ ସଭାପତି ନିର୍ବାଚିତ ହେବା ପରେ ହିଁ ଏକ ଯୋଜନା କାର୍ଯ୍ୟକାରୀ ହେବ।

Related Posts