ପଶ୍ଚିମବଙ୍ଗ ମୁହାଁ ‘ବୁଲବୁଲ’: ପାରାଦୀପଠୁ ୪୫୦ କିମି ଦୂରରେ ବାତ୍ୟା

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ବୁଲବୁଲ’ ପାରାଦୀପଠାରୁ ପ୍ରାୟ ୪୫୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଏହି ସୂଚନା ମିଳିଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ବୁଲବୁଲ ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଅଗ୍ରସର ହେଉଛି । ଆଗାମୀ ୧୨ ଘଂଟା ମଧ୍ୟରେ ଉତ୍ତର-ପୂର୍ବ ଦିଗକୁ ଗତି କରିବ ବୋଲି ଅନୁମାନ କରାଯାଉଛି । ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିବ ବୋଲି ପୂର୍ବାନୁମାନ କରାଯାଉଛି ।

ପାଣିପାଗ ବିଭାଗର ସୂଚନା ଅନୁସାରେ ପଶ୍ଚିମବଙ୍ଗର ସାଗର ଦୀପ ଓ ବାଂଲାଦେଶର ଖେପୁପରା ମଝିରେ ଏହା ଲ୍ୟାଣ୍ଡଫଲ କରିବାର ଅଧିକ ଆଶା କରାଯାଉଛି । ବାତ୍ୟା ପ୍ରଭାବରେ ଶୁକ୍ରବାର ଠାରୁ ଉପକୂଳ ଓଡ଼ିଶାର ଜିଲ୍ଳାଗୁଡ଼ିକରେ ବର୍ଷା ହେବ । ବର୍ଷା ପାଇଁ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଏହି ସବୁ ଜିଲ୍ଲାଗୁଡ଼ିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେହିପରି ଶନିବାର ଠାରୁ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ଜଗତସିଂହପୁର ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି ।

ଉପକୂଳ ଜିଲ୍ଲା ବ୍ୟତୀତ ମୟୂରଭଂଜ, କଟକ ଓ ଯାଜପୁର ଜିଲ୍ଳାରେ ମଧ୍ୟ ବର୍ଷା ହୋଇପାରେ । ଇତି ମଧ୍ୟରେ ବୁଲବୁଲ ପ୍ରଭାବରେ ଆଜି ସକାଳୁ ପାରାଦୀପରେ ବର୍ଷା ଆରମ୍ଭ ହୋଇଯାଇଛି । ସକାଳୁ ଅସରାଏ ବର୍ଷା ହେବା ସହିତ ସାମାନ୍ୟ ପବନ ବୋହିଛି ।

ଓଡ଼ିଶା ଉପକୂଳରେ ସମୁଦ୍ର ଆଶାନ୍ତ ରହିବା ସହ ପ୍ରବଳ ବର୍ଷା ଆରମ୍ଭ ହେବ । ଏହାକୁ ନଜରରେ ରଖି ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଧା, ମୟୂରଭଞ୍ଜ, କଟକ ଓ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ତେଣୁ ଏହି ସବୁ ଜିଲ୍ଲାରେ ୯ ତାରିଖରେ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସେହିପରି ୬ଟି ଜିଲ୍ଲାକୁ ୨ଟି ଲେଖାଏଁ ଓଡରାଫ ଟିମ୍ ପଠାଯାଇଛି ।  ୯ ଜିଲ୍ଲାକୁ ଗୋଟିଏ ଲେଖାଏଁ ଏନଡିଆରଏଫ ଟିମ୍ ପଠାଯାଇଛି । ଅଗ୍ନିଶମ ବାହିନୀକୁ ମଧ୍ୟ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Related Posts