ପଶ୍ଚିମବଙ୍ଗ କ୍ୟାବିନେଟ୍ ବୈଠକ ପରେ ପାର୍ଥ ଚାଟାର୍ଜୀଙ୍କୁ ମନ୍ତ୍ରୀ ପଦରୁ ହଟାଇଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଶ୍ଚିମବଙ୍ଗ କ୍ୟାବିନେଟ୍ ବୈଠକ ପରେ ମନ୍ତ୍ରୀପଦରୁ ହଟିଲେ ଦୁର୍ନୀତି ଅଭିଯୁକ୍ତ ପ୍ରାର୍ଥ ଚାଟାର୍ଜୀ। ଆଜି ଏନେଇ କ୍ୟାବିନେଟ୍ ବୈଠକ ଡକାଇଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହି ବୈଠକରେ ପାର୍ଥଙ୍କୁ ସମସ୍ତ ପଦରୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି। ଶିକ୍ଷକ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ପଶ୍ଚିମବଙ୍ଗ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀ। ଗିରଫ ପରେ ତାଙ୍କ ସହଯୋଗୀ ଅର୍ପିତାଙ୍କ ଘରୁ ୫୦ କୋଟିରୁ ଅଧିକ ଟଙ୍କା ଜବତ ହୋଇଛି।

ଆଜି ଏ ସମ୍ପର୍କିତ ଆଲୋଚନା ପାଇଁ କ୍ୟାବିନେଟ୍ ବୈଠକ ଡକାଇଥିଲେ ମମତା। ଏହି ବୈଠକରେ ପାର୍ଥଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଚର୍ଚ୍ଚା ହେଉଥିଲା। ବୈଠକ ଶେଷ ପରେ ଆଶଙ୍କା ସତ ହୋଇଛି। ତେବେ ଏହା ପୂର୍ବରୁ ପାର୍ଥଙ୍କୁ ନେଇ ନିରବ ରହୁଥିଲେ ମମତା। କିଛି ଦିନ ପରେ ମୁହଁ ଖୋଲି କହିଥିଲେ ଯଦି ପାର୍ଥ ସେମିତି କରିଛନ୍ତି ତେବେ ତାଙ୍କୁ ଆଜୀବନ ସଜା ହେଲା ବି ମନଦୁଃଖ ନାହିଁ। ଏହାପରେ ଦଳର ଅନ୍ୟ କୌଣସି ନେତାଙ୍କୁ ଏ ସମ୍ପର୍କରେ କୌଣସି ମନ୍ତବ୍ୟ ନ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ନିରବତା ନେଇ ସମାଲୋଚନାର ଶିକାର ହେବା ପରେ ମମତା ଆଜି ନିଜର ଛବି ନିର୍ମଳ ରଖିବାକୁ ଏଭଲି ପଦକ୍ଷେପ ନେଇଛନ୍ତି।

Related Posts