ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ସାରା ଦେଶରେ ଚର୍ଚ୍ଚା । ଏହା ମଧ୍ୟରେ ଆପ ନେତା ଅରବିନ୍ଦ କେଜ୍ରିୱାଲଙ୍କ ବଡ ବୟାନ ସାମ୍ନାକୁ ଆସିଥିବାର ଦେଖିବାକୁ ମିଳିଛି । ତେବେ ପଶ୍ଚିମବଙ୍ଗରେ ଆସନ୍ତା ୨୯ ତାରିଖରେ ମତଦାନ ହେବାକୁ ଥିବାବେଳେ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜଣେ ଦୁର୍ବଳ ପ୍ରଧାନମନ୍ତ୍ରୀ ବୋଲି କହିଛନ୍ତି। ଉତ୍ତର କୋଲକାତାର ବେଲିଆଘାଟାଠାରେ ତୃଣମୂଳ କଂଗ୍ରେସ ପାଇଁ ନିର୍ବାଚନ ପ୍ରଚାର କରି କେଜ୍ରିୱାଲ କହିଛନ୍ତି, ମୁଁ ତୁମମାନଙ୍କୁ ଭେଟିବାକୁ ଦିଲ୍ଲୀରୁ ଆସିଛି। ଏହା କୌଣସି ସାଧାରଣ ନିର୍ବାଚନ ନୁହେଁ, ଏହା ଦେଶ ଓ ଗଣତନ୍ତ୍ରକୁ ସୁରକ୍ଷିତ ରଖିବାର ନିର୍ବାଚନ। ବିଜେପି ତା’ର ସମସ୍ତ ବଳ ପଶ୍ଚିମବଙ୍ଗରେ ଲଗାଇଛି। ଏହା ପଶ୍ଚିମବଙ୍ଗର ପରିଚୟ ଓ ସମ୍ମାନର ବିଷୟ। ଗଣତନ୍ତ୍ରର ସୁରକ୍ଷା ପାଇଁ ପୂରା ପଶ୍ଚିମବଙ୍ଗ ବିଜେପି, ଅମିତ ଶାହ ଓ ମୋଦୀଙ୍କୁ ଉଚିତ ଜବାବ ଦେବ। ସେମାନଙ୍କର ବଡ଼ ପରାଜୟ ଘଟିବ ବୋଲି କେଜ୍ରିୱାଲ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ବାଧୀନତାର ୭୫ ବର୍ଷ ଭିତରେ ସେ ଏପରି ଦୁର୍ବଳ ପ୍ରଧାନମନ୍ତ୍ରୀ କେବେ ଦେଖିନଥିଲେ ବୋଲି କହିଛନ୍ତି । ଆନ୍ତର୍ଜାତିକ ମଞ୍ଚରେ ପ୍ରଧାନମନ୍ତ୍ରୀ ଦୃଢ଼ ଭାବରେ କଥା କହି ପାରୁନାହାନ୍ତି। ବିଜେପି କେବଳ ଶସ୍ତା ରାଜନୀତି କରୁଛି ବୋଲି କେଜ୍ରିୱାଲ କହିଥିଲେ। ପୂରା ନିର୍ବାଚନ ଏସ୍‌ଆଇଆର୍‌ ଅଧୀନରେ ଲଢ଼ାଯାଉଛି। ପାଖାପାଖି ୨୭ ଲକ୍ଷ ଭୋଟରଙ୍କୁ ଭୋଟର ତାଲିକାରୁ ହଟାଯାଇଛି। ଯଦି ତୁ‌ମେ ଭୋଟ ଦେଇପାରିବ ନାହିଁ, ତେବେ ତୁମ ନାଗରିକତା ଉପରେ ପ୍ରଶ୍ନ ଉଠାଯିବ। ଯେଉଁମାନେ ଏଥିରେ ପ୍ରଭାବିତ ହୋଇଛନ୍ତି, ସେମାନେ ମମତା ଦିଦିଙ୍କ ସହିତ ମିଶି ଘରକୁ ଘର ବୁଲି ପ୍ରଚାର କରନ୍ତୁ ବୋଲି କେଜ୍ରିୱାଲ ସମସ୍ତଙ୍କୁ ନିବେଦନ କରିଥିଲେ।