ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ସାରା ଦେଶରେ ଚର୍ଚ୍ଚା । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ରାଲି ପୂର୍ବରୁ ଜଗଦ୍ଦଲରେ ବିଜେପି-ଟିଏମ୍‌ସି କର୍ମୀ ମୁହାଁମୁହିଁ ହୋଇଥିବାର ଖବର ସାମ୍ନାକୁ ଆସିଛି । ତେବେ ଜଗଦ୍ଦଲ ପୁଲିସ ଷ୍ଟେସନ ସମ୍ମୁଖରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ସମର୍ଥକଙ୍କ ମଧ୍ୟରେ ଏକ ଭୟଙ୍କର ସଂଘର୍ଷ ଘଟିଛି, ଯାହା ଫଳରେ ପଥର ଫିଙ୍ଗା, ବୋମାମାଡ଼ ଏବଂ ଗୁଳିଚାଳନା ହୋଇଛି। ପତାକା ଏବଂ ପୋଷ୍ଟର ଚିରିବା ଯୋଗୁଁ ବିବାଦ ଆରମ୍ଭ ହୋଇଥିବା ଜଣାପଡ଼ିଛି। ବିଜେପି କର୍ମୀମାନେ ଅଭିଯୋଗ କରିଛନ୍ତି, ଜଗଦ୍ଦଲ ଅଞ୍ଚଳରେ ଟିଏମ୍‌ସି ସମର୍ଥକମାନେ ସେମାନଙ୍କ ପ୍ରଚାର ସାମଗ୍ରୀକୁ କ୍ଷତି ପହଞ୍ଚାଇଛନ୍ତି। ଆରୋପ ପ୍ରତ୍ୟାରୋପ ପରେ ଉଭୟ ଦଳର ସମର୍ଥକମାନେ ଥାନା ବାହାରେ ଜମା ହୋଇଥିଲେ। ସେମାନଙ୍କ ଉଗ୍ର ଯୁକ୍ତିତର୍କ ହେବା ପରେ ଏହା ହିଂସାତ୍ମକ ସଂଘର୍ଷରେ ପରିଣତ ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପୁଲିସକୁ ନାକେଦମ୍ ହେବାକୁ ପଡିଥିଲା। ଏହି ସମୟରେ, ଭାଟପାରା ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ଏବଂ ବିଧାୟକ ପବନ ସିଂହଙ୍କ ଘର ଉପରେ ବୋମା ଫିଙ୍ଗାଯାଇଥିବା ସୂଚନା ମିଳିଛି। ଏହି ଆକ୍ରମଣ ଫଳରେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଏବଂ ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି। ଘଟଣାରେ ତିନି ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।