ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ସାରା ଦେଶର ନଜର ରହିଛି । ଏହା ମଧ୍ୟରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ମଧ୍ୟରେ ୟୁପି କ୍ୟାଡରର ଆଇପିଏସ ଅଧିକାରୀ ଅଜୟ ପାଲ ଶର୍ମାଙ୍କ ନିଯୁକ୍ତିକୁ ନେଇ ବିବାଦ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଭାରତୀୟ ନିର୍ବାଚନ କମିଶନ ତାଙ୍କୁ ଜଣେ ପୋଲିସ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଥିବା ବେଳେ ଏହାକୁ ଚ୍ୟାଲେଞ୍ଜ କରି ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ତେବେ ଆଦିତ୍ୟ ଦାସ ନାମକ ଜଣେ ବ୍ୟକ୍ତିଙ୍କ ପକ୍ଷରୁ ଦାୟର ଏହି ପିଟିସନରେ ଅଜୟ ପାଲ ଶର୍ମାଙ୍କ ବିରୋଧରେ କିଛି ଗମ୍ଭୀର ଅଭିଯୋଗ ଅଣାଯାଇଛି । ଅଧିକାରୀ ଜଣକ ଅତ୍ୟନ୍ତ ପକ୍ଷପାତୀ ଏବଂ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ପ୍ରାର୍ଥୀଙ୍କୁ ଧମକ ଦେଉଥିବା ଅଭିଯୋଗ ହୋଇଛି। ଜନପ୍ରତିନିଧି ଅଧିନିୟମ (Representation of the People Act, 1951) ର ଧାରା ୨୦ବି (Section 20B) ଅନୁଯାୟୀ, ଜଣେ ପର୍ଯ୍ୟବେକ୍ଷକ ନିରପେକ୍ଷ ହେବା ଆବଶ୍ୟକ। ମାତ୍ର ଅଜୟ ପାଲଙ୍କ ଆଚରଣ ଏହାର ସମ୍ପୂର୍ଣ୍ଣ ବିପରୀତ ବୋଲି ପିଟିସନରେ କୁହାଯାଇଛି। ସେପଟେ କିଛି ଦିନ ପୂର୍ବରୁ ପଶ୍ଚିମବଙ୍ଗ ବିଜେପି ୟୁନିଟ୍ ପକ୍ଷରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ କରାଯାଇଥିଲା। ଏଥିରେ ଅଜୟ ପାଲ ଶର୍ମାଙ୍କୁ “ୟୁପି ପୋଲିସର ଏନକାଉଣ୍ଟର ସ୍ପେସାଲିଷ୍ଟ ଏବଂ ସିଙ୍ଘମ” ଭାବେ ବର୍ଣ୍ଣନା କରାଯାଇଥିଲା। ସେ ଦକ୍ଷିଣ ୨୪ ପ୍ରଗଣାରେ ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଅଲ୍ଲୀଙ୍କ ପରିବାରକୁ ସିଧା କରିଦେବେ ବୋଲି ଚେତାବନୀ ଦେଇଥିବା ଦାବି କରାଯାଇଥିଲା। ଅନ୍ୟପଟେ ସୁପ୍ରିମକୋର୍ଟ ଯିବା ପୂର୍ବରୁ ଏହି ମାମଲା କଲକାତା ହାଇକୋର୍ଟରେ ମଧ୍ୟ ଉଠିଥିଲା। ତେବେ ଗତକାଲି ହାଇକୋର୍ଟ ଏହି ଆବେଦନକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ। ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବା ସମୟରେ କୋର୍ଟ ଏଥିରେ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ।
