ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶରେ ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ବଡ ବୟାନ ଦେଇଛନ୍ତି ନୀତିନ ଗଡକରୀ । ତେବେ ଦେଶରେ ପେଟ୍ରୋଲ ଓ ଡିଜେଲ ଗାଡ଼ିର ଭବିଷ୍ୟତ ଆଉ ନାହିଁ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ସ୍ପଷ୍ଟ କରିଛନ୍ତି। ଏକ ଶିଳ୍ପ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଯେ, ବଢ଼ୁଥିବା ପ୍ରଦୂଷଣ ଓ ବିଦେଶରୁ ମହଙ୍ଗା ତୈଳ ଆମଦାନୀ ଦେଶ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି। ତେଣୁ ଗାଡ଼ି ନିର୍ମାତା କମ୍ପାନିଗୁଡ଼ିକ ଏବେଠାରୁ ବାୟୋ-ଫ୍ୟୁଏଲ ଏବଂ ବିଦ୍ୟୁତ ଚାଳିତ ଗାଡ଼ି ଉପରେ ଗୁରୁତ୍ୱ ଦେବା ଜରୁରୀ। ସେପଟେ ମନ୍ତ୍ରୀ ଗଡ଼କରୀ ଶିଳ୍ପ ଜଗତକୁ ପରାମର୍ଶ ଦେଇ କହିଛନ୍ତି ଯେ, କେବଳ ଶସ୍ତା ଗାଡ଼ି ତିଆରି ନକରି ଏହାର ଗୁଣବତ୍ତା ଓ ସୁରକ୍ଷା ଉପରେ ଧ୍ୟାନ ଦିଅନ୍ତୁ। ଆଜିକାଲିର ଗ୍ରାହକମାନେ କମ୍ ଦାମ୍ ଅପେକ୍ଷା ଭଲ ଗୁଣବତ୍ତା, ଆରାମଦାୟକ ଓ ନିରାପଦ ଗାଡ଼ିକୁ ଅଧିକ ପସନ୍ଦ କରୁଛନ୍ତି। ତେଣୁ ସୁରକ୍ଷା ସହିତ କୌଣସି ପ୍ରକାର ସାଲିସ କରାଯିବ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତରେ ସାର୍ବଜନୀନ ପରିବହନ ବ୍ୟବସ୍ଥାକୁ ସୁଧାରିବା ପାଇଁ ଆଗାମୀ ତିନି ବର୍ଷ ମଧ୍ୟରେ ପ୍ରାୟ ଦେଢ଼ ଲକ୍ଷ ଇଲେକ୍ଟ୍ରିକ୍ ବସର ଆବଶ୍ୟକତା ରହିଛି। ବର୍ତ୍ତମାନ ଭାରତରେ ପ୍ରତି ୧୦୦୦ ଲୋକରେ ମାତ୍ର ୨ଟି ବସ୍ ଅଛି, ଯାହା ଅନ୍ତର୍ଜାତୀୟ ସ୍ତରରେ ୮ଟି ହେବା କଥା। ତେଣୁ ଏହି କ୍ଷେତ୍ରରେ ବଡ଼ ସୁଯୋଗ ରହିଛି। ଗାଡ଼ି ଗୁଡ଼ିକରେ ସ୍ୱଦେଶୀ ଜ୍ଞାନକୌଶଳ ଓ ପ୍ରଦୂଷଣମୁକ୍ତ ଇନ୍ଧନ ବ୍ୟବହାର କରିବା ପାଇଁ ସେ କମ୍ପାନିଗୁଡ଼ିକୁ ଆହ୍ୱାନ ଦେଇଛନ୍ତି।
