ପଶ୍ଚିମବଙ୍ଗ ବୀରଭୂମି ଜିଲ୍ଲାରେ ନିଆଁରେ ଜଳି ୮ ଜଣଙ୍କ ମୃତ୍ୟୁ ଘଟଣା: ରାଜ୍ୟ ସରକାରଙ୍କୁ ବିସ୍ତୃତ ରିପୋର୍ଟ ମାଗିଲେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ

ପଶ୍ଚିମବଙ୍ଗ ବୀରଭୂମି ଜିଲ୍ଲାରେ ଗତକାଲି ଏକ ବଡ଼ ଅଘଟଣ ଘଟିଯାଇଛି । ନିଆଁରେ ଜଳି ୮ ଜଣଙ୍କ ମୃତ୍ୟୁ ଘଟିଛି । ଫଳରେ ଏହି ଘଟଣାକୁ ନେଇ ଆକ୍ସନ ରେ ଗୃହ ମନ୍ତ୍ରାଳୟ । ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ବିସ୍ତୃତ ରିପୋର୍ଟ ମଗାଯାଇଛି । ବିଜେପିର ୯ ଜଣ ସାଂସଦ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପରେ ମନ୍ତ୍ରଣାଳୟ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ଚର୍ଚ୍ଚା ହେଉଛି। ଘଟଣାରେ ହସ୍ତକ୍ଷେପ କରି ମାମଲାର ତଦନ୍ତ କରିବାକୁ ବିଜେପି ସାଂସଦମାନେ ଦାବି କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲାର ଗୋଗତୁଇ ଗାଁରେ ଦୁର୍ବୃତ୍ତମାନେ ମଙ୍ଗଳବାର ଅନେକ ଘରେ ନିଆଁ ଲଗାଇ ଦେଇଥିଲେ। ଏଥିରେ ଅତି କମରେ ୮ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ପଶ୍ଚିମବଙ୍ଗ ପୋଲିସ ଏହି ଘଟଣାରେ ମୃତକଙ୍କ ସଂଖ୍ୟାକୁ ନେଇ ସ୍ପଷ୍ଟ କରିଛି । ଏହା ପୂର୍ବରୁ ଅଗ୍ନିଶମ ବିଭାଗର ଅଧିକାରୀ ଘଟଣା ସ୍ଥଳରେ ମୃତକଙ୍କ ସଂଖ୍ୟା ୧୦ ଥିବା କହିଥିଲେ । ଅନୁମାନ କରାଯାଉଛି ସୋମବାର ସଂଧ୍ୟାରେ ତୃଣମୂଳ କଂଗ୍ରେସର ଜଣେ ନେତାଙ୍କ ହତ୍ୟା ପରେ ଏହି ନାରକୀୟ କାଣ୍ଡ ଘଟାଯାଇଥିବା କୁହାଯାଉଛି।

ସୂତ୍ର ଅନୁସାରେ ସ୍ଥିତିର ଅନୁଧ୍ୟାନ ପାଇଁ ଏକ ତଦନ୍ତକାରୀ କେନ୍ଦ୍ରୀୟ ଦଳ ରାଜ୍ୟକୁ ପଠାଯାଇପାରେ । କିନ୍ତୁ ଏନେଇ କୌଣସି ଅନୁଷ୍ଠାନିକ ଘୋଷଣା ହୋଇନାହିଁ। ତେବେ ମନ୍ତ୍ରଣାଳୟ ପକ୍ଷରୁ ପଶ୍ଚିମବଙ୍ଗ ସରକାରଙ୍କୁ ରାଜ୍ୟରେ ଆଇନ ବ୍ୟବସ୍ଥା ସ୍ଥିର ରଖିବା ଏବଂ ଏହି ଘଟଣାକୁ ନଜରରେ ରଖି ସାଧାରଣ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ କୁହାଯାଇଛି ।

ସୂଚନାନୁସାରେ, ବୀରଭୂମର ରାମପୁରହାଟରେ ଏହି ଘଟଣା ଘଟିଛି । କୁହାଯାଉଛି ଯେ, ରାମପୁରହାଟରେ ଟିଏମସି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଥିଲା । ଏହାର ପ୍ରତିଶୋଧ ନେବାକୁ କର୍ମୀମାନେ ୫ଟି ଘର ପୋଡି ଦେଇଛନ୍ତି । ଯଦ୍ୱାରା 8 ଜଣ ପ୍ରାଣ ହରାଇଛନ୍ତି । ଘଟଣା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲେ । ଏହାସହ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଁଚିଛନ୍ତି । ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ବୀରଭୂମର ରାମପୁରହାଟରେ ସୋମବାର ଟିଏମସି ନେତା ଯାଦୁ ଶେଖଙ୍କୁ କିଛି ଦୁର୍ବୃତ୍ତ ହତ୍ୟା କରିଥିଲେ । ଶେଖଙ୍କ ଉପରେ ବୋମାମାଡ କରାଯାଇଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

କୁହାଯାଉଛି ଯେ, ଟିଏମସିର ପଞ୍ଚାୟତସ୍ତରୀୟ ନେତା ଶେଖଙ୍କୁ କିଛି ଦୁର୍ବୃତ୍ତ ବୋମା ମାଡ କରିଥିଲେ । ସେ ୫୦ ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା ।

Related Posts