ଜଳିବ ପଶ୍ଚିମ ଓଡିଶା: ୪୪ ଡିଗ୍ରୀ ଟପିବ ତାପମାତ୍ରା: ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ | ଅସହ୍ୟ ଗରମରେ କଲବଳ ହେଉଛନ୍ତି ରାଜ୍ୟବାସୀ | ସେପଟେ ପଶ୍ଚିମ ପ୍ରାନ୍ତରେ ବଢୁଥିବା ତାପମାତ୍ରାକୁ ନେଇ ଅସ୍ତବ୍ୟସ୍ତ ଜନଜୀବନ | ତେବେ ଆଗକୁ ଆହୁରି ଅସମ୍ଭାଳ ତାତି ଅନୁଭୂତ ହେବ । ୧୨ରୁ ୧୪ ତାରିଖ ଯାଏ ଏଠାରେ ତାପମାତ୍ରା ଆହୁରି ବଢ଼ିବ । ପଶ୍ଚିମ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଦକ୍ଷିଣ ଓ ଉତ୍ତରରେ ଏହି ତିନି ଦିନ ତାତି ୪୪ ଡିଗ୍ରୀ ଟପିପାରେ । ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ଆକଳନ କରିଛନ୍ତି ।

ଉପକୂଳ ଓଡ଼ିଶାରେ ୧୪ ତାରିଖ ଯାଏ ତାପମାତ୍ରା କମ୍‌ ରହିବ । ୯, ୧୦ ଓ ୧୧ ତାରିଖରେ ତାପମାତ୍ରା ପୁଣି ୧ ଡିଗ୍ରୀ ଯାଏ କମିବ । ବଙ୍ଗୋପସାଗରରେ ସମ୍ଭାବ୍ୟ ଲଘୁଚାପ ଯୋଗୁ ବାୟୁର ଦିଗ ପରିବର୍ତ୍ତନ ହେବ । ଫଳରେ ଉପକୂଳରେ ତାପମାତ୍ରା କମ୍‌ ରହିବ ବୋଲି ସେ କହିଛନ୍ତି ।

ସେହିଭଳି କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, ସୋନପୁର, ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ତାତି ଅଧିକ ରହିବ । କିନ୍ତୁ ୧୨ରୁ ୧୪ ତାରିଖ ଯାଏ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଥିବା ନେଇ ସେ ପୂର୍ବାନୁମାନ କରିଛନ୍ତି ।

ସୂଚନାଯୋଗ୍ୟ, ମଙ୍ଗଳବାର ବଲାଙ୍ଗୀର ଜିଲ୍ଲାରେ ସର୍ବାଧିକ ତାପମାତ୍ରା ୪୧.୭ ଡିଗ୍ରୀ ରହିଥିଲା । ଟିଟିଲାଗଡ଼ରେ ୪୦.୮, ବୌଦ୍ଧରେ ୪୦.୫ ଓ ଭବାନୀପାଟଣାରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ ହୋଇଛି । କଟକ, ଭୁବନେଶ୍ୱର, ପୁରୀ, ଗୋପାଳପୁର ଓ ପାରାଦୀପ ଭଳି ବିଭିନ୍ନ ସହରରେ ଦିନବେଳାର ତାପମାତ୍ରା କମ୍‌ ଥିଲା । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଦିନବେଳାର ତାପମାତ୍ରା ୪୦ ଡିଗ୍ରୀ ପାର୍‌ କରିବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି ।

Related Posts