ଭୁବନେଶ୍ୱର,୧୩/୬(ସତ୍ୟପାଠ ବ୍ୟୁରୋ): ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାରେ ନୂଆ ସରକାର ଗଠନ ହୋଇଛି। ଓଡ଼ିଶାରେ ବିଜେପିର ମୋହନ ମାଝି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସହ ଆନ୍ଧ୍ରରେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନ ଭଳି ଓଡ଼ିଶାରେ ସରକାର ଗଠନର ଫର୍ମୁଲା ଆପଣାଇଛି ବିଜେପି।
ଜଣେ ମୁଖ୍ୟମନ୍ତ୍ରୀ ସହିତ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ଓଡ଼ିଶାରେ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡା ଓଡ଼ିଶା ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଅନ୍ୟପଟେ ଆନ୍ଧ୍ରରେ ତେଲୁଗୁ ସିନେମା ସୁପରଷ୍ଟାର ତଥା ନେତା ପୱନ କଲ୍ୟାଣଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି। ଗତ ୧୦ବର୍ଷ ହେଲାଣି ବିଭିନ୍ନ ରାଜ୍ୟରେ ଉପମୁଖ୍ୟମନ୍ତ୍ରୀ ରହିବାର ଧାରା ଲାଗି ରହିଛି। ତେବେ ଏବେ ଜାଣିବା କଣ ସମ୍ବିଧାନରେ ମୁଖ୍ୟମନ୍ତ୍ରୀ ପଦ ଭଳି ଉପମୁଖ୍ୟମନ୍ତ୍ରୀ ପଦ ରହିଛି। ଉପମୁଖ୍ୟମନ୍ତ୍ରୀଙ୍କ ପାଖରେ କଣ ରହିଛି ଦାୟିତ୍ୱ ଦରମା କେତେ ପାଆନ୍ତି ସେମାନେ ।
ବର୍ତ୍ତମାନ ଭାରତର ୧୪ଟି ରାଜ୍ୟରେ ୨୩ଜଣ ଉପମୁଖ୍ୟମନ୍ତ୍ରୀ ରହିଛନ୍ତି। ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ସହ ତେଲେଙ୍ଗାନାରେ ଜଣେ ଲେଖାଏଁ ଉପମୁଖ୍ୟମନ୍ତ୍ରୀ ରହିଥିବା ବେଳେ ୯ଟି ରାଜ୍ୟ ବିହାର, ଛତିଶଗଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ, ନାଗାଲାଣ୍ଡ, ରାଜସ୍ଥାନ, ଉତ୍ତରପ୍ରଦେଶରେ ଦୁଇ ଜଣ ଲେଖାଏଁ ଉପମୁଖ୍ୟମନ୍ତ୍ରୀ ପଦରେ ରହିଛନ୍ତି। ସେହିଭଳି ଓଡ଼ିଶାରେ ନୂଆ ସରକାରରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି।
ଉପମୁଖ୍ୟମନ୍ତ୍ରୀ ପାଇଁ ସମ୍ବିଧାନରେ କଣ ରହିଛି ?
ଆମ ସମ୍ବିଧାନ ଧାରା ୧୬୩ରେ କୁହାଯାଇଛି ଯେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରିମଣ୍ଡଳ ଗଠନ ହେବାର ନିୟମ ରହିଛି। ଅନୁଚ୍ଛେଦ ୧୬୩(୧) ଅନୁସାରେ ରାଜ୍ୟପାଳଙ୍କୁ ପରାମର୍ଶ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏକ ମନ୍ତ୍ରିମଣ୍ଡଳ ରହିବ। ରାଜ୍ୟପାଳ ହିଁ ମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତ କରିବେ। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ମନ୍ତ୍ରିମଣ୍ଡଳର ନିଯୁକ୍ତି ମଧ୍ୟ ରାଜ୍ୟପାଳ କରିବେ। ହେଲେ ସମ୍ବିଧାନରେ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ ନେଇ ସେଭଳି କିଛି ନିୟମ ଉଲ୍ଲେଖ ନାହିଁ। ଉପମୁଖ୍ୟମନ୍ତ୍ରୀ ପଦକୁ କ୍ୟାବିନେଟ ମନ୍ତ୍ରୀ ପଦ ସହିତ ଗ୍ରହଣ କରାଯାଇଥାଏ। ତେବେ ଏଥିରୁ ସ୍ପଷ୍ଟ ହେଉଛି ଯେ ଉପମୁଖ୍ୟମନ୍ତ୍ରୀଙ୍କୁ କ୍ୟାବିନେଟ୍ ମନ୍ତ୍ରୀଙ୍କ ଭଳି ସମାନ ଦରମା ଓ ସୁବିଧା ଦିଆଯାଇଥାଏ।
ସୁପ୍ରିମକୋର୍ଟ ଏ ସମ୍ପର୍କରେ କଣ କହିଥିଲେ ?
ଉପମୁଖ୍ୟମନ୍ତ୍ରୀ ନିଯୁକ୍ତି ନେଇ ଚଳିତବ ବର୍ଷ ସୁପ୍ରିମକୋର୍ଟରେ ଏକ ଶୁଣାଣି ହୋଇଥିଲା। ଯେଉଁଥିରେ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡଙ୍କ ବେଞ୍ଚ କହିଥିଲେ ଯେ ଉପମୁଖ୍ୟମନ୍ତ୍ରୀ ପଦ ଅସମ୍ବିଧାନିକ ନୁହେଁ। ପ୍ରକୃତରେ ସୁପ୍ରିମକୋର୍ଟରେ ଏ ସମ୍ପର୍କରେ ଏକ ପିଟିସନ ଦାୟର ହୋଇଥିଲା। ଯେଉଁଥିରେ ଏହି ପଦରେ ନିଯୁକ୍ତିକୁ ରୋକିବାକୁ କୁହାଯାଇଥିଲା। ଆବେଦନକାରୀ ଦାବି କରିଥିଲେ ଯେ ଉପମୁଖ୍ୟମନ୍ତ୍ରୀ ବୋଲି କିଛି ପଦ ସମ୍ବିଧାନରେ ନାହିଁ। ହେଲେ ଏହି ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଥିଲେ।
ଏବେ ସାଧାରଣତଃ ମେଣ୍ଟ ସରକାର ଅନେକ ସ୍ଥାନରେ ଗଠନ ହେଉଥିବାରୁ ଉପମୁଖ୍ୟମନ୍ତ୍ରୀ ପଦରେ ନେତାଙ୍କୁ ନିଯୁକ୍ତ କରାଯାଉଛି। ଉପ-ମୁଖ୍ୟମନ୍ତ୍ରୀ କ୍ୟାବିନେଟ୍ ମନ୍ତ୍ରୀଙ୍କ ଭଳି ସମାନ ଦରମା ଓ ଅନ୍ୟାନ୍ୟ ସୁବିଧା ପାଇଥାନ୍ତି। ଉପ-ମୁଖ୍ୟମନ୍ତ୍ରୀଙ୍କ କୌଣସି ନିର୍ଦ୍ଦିଷ୍ଟ କ୍ଷମତା ନାହିଁ। ଓଡ଼ିଶାରେ ନନ୍ଦିନୀ ଶତପଥୀ ମୁଖ୍ୟମନ୍ତ୍ରୀ ଥିବା ସମୟରେ ନୀଳମଣି ରାଉତରାୟ ତାଙ୍କ ସରକାରରେ ଉପ-ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାରରେ ହେମାନନ୍ଦ ବିଶ୍ୱାଳ ଓ ବସନ୍ତ ବିଶ୍ୱାଳ ଉପ-ମୁଖ୍ୟମନ୍ତ୍ରୀ ରହିଥିଲେ।