
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟର ରାଜନୀତି ବେଶ ସରଗରମ ହୋଇ ଉଠିଛି । ଏହା ମଧ୍ୟରେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ତେବେ ଏସବୁ ନିର୍ମାଣ କାର୍ୟ୍ୟ ଏଏସ୍ଆଇର ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱାବଧାନରେ କରାଯାଉ ବୋଲି ସେ କହିଛନ୍ତି। ଯାହା କ୍ଷତି ହୋଇଛି, ତାହା ଆଉ ଫେରି ଆସିବ ନାହିଁ। ଏଣୁ ଏବେ ସେସବୁକୁ ନୂଆ କରି କରାଯାଉ। ପ୍ରଧାନମନ୍ତ୍ରୀ ମନ୍ଦିର ବଞ୍ଚାନ୍ତୁ। ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ୟ୍ୟରେ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ସିଧାସଳଖ ହସ୍ତକ୍ଷେପ କରନ୍ତୁ ବୋଲି ସେ କହିଛନ୍ତି।
କୋର୍ଟ କଚେରୀରେ ଏହାର ସମାଧାନ ହୋଇପାରିବ ନାହିଁ ପ୍ରଧାନମନ୍ତ୍ରୀ ନିଜେ ହସ୍ତକ୍ଷେପ କରି ଏହାର ସମାଧାନ କରନ୍ତୁ ବୋଲି ଜୟନ୍ତ ଦାବି କରିଛନ୍ତି। ଏହାସହ ରାଜ୍ୟ ସରକାର, କେନ୍ଦ୍ର ସରକାର ମିଶି ସମାଧାନର ବାଟ ବାହାର କରିବାକୁ ସେ ଅନୁରୋଧ କରିଛନ୍ତି। ତେବେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପୁରୀ ବାସିନ୍ଦା ଖୁସି ନୁହଁନ୍ତି ସେମାନେ କେବଳ ବାଧ୍ୟବାଧକତାରେ ଜାଗା ଛାଡ଼ି ଦେଇଛନ୍ତି। ନିର୍ମାଣ କାର୍ୟ୍ୟରେ ବାଧା ସୃଷ୍ଟି ନ କରିବା ଲାଗି ପୁରୀବାସୀ ରାଜି ହୋଇଯାଇଛନ୍ତି। ହେଲେ ଆନ୍ତରକିତା ସହ ଏହି ପ୍ରକଳ୍ପରେ ସେବାୟତ, ମଠ ମହନ୍ତ କେହି ବି ଖୁସି ନାହାନ୍ତି ବୋଲି ଜୟନ୍ତ କହିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।