କଣ ରହିବ ଉଦ୍ଧବଙ୍କ ଦଳର ନୂଆ ନାମ ସହ ନିର୍ବାଚନୀ ଚିହ୍ନ ? ତ୍ରିଶୂଳ, ମଶାଲ କିମ୍ବା ଉଦୟ ସୂର୍ଯ୍ୟ ଚିହ୍ନକୁ ନେଇ ଚର୍ଚ୍ଚା ଆରମ୍ଭ

ନୂଆଦିଲ୍ଲୀ: ଶିବସେନାର ନିର୍ବାଚନୀ ଚିହ୍ନ ଧନୁ ଓ ତୀର ଉପରେ ସାମୟିକ ଭାବେ ନିଷେଧାଜ୍ଞା ଜାରି କରିଛନ୍ତି ନିର୍ବାଚନ କମିସନ । ଏଥିସହ ଅନ୍ଧେରୀ (ପୂର୍ବ ) ବିଧାନସଭା ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ଉଭୟ ଗୋଷ୍ଠୀଙ୍କୁ ନୂଆ ଚିହ୍ନ ବାଛିବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି । ଏଥିପାଇଁ ଆସନ୍ତା ୧୧ ତାରିଖ ସୁଦ୍ଧା ନିଜ ନିଜର ଦଳୀୟ ଚିହ୍ନ ସଂପର୍କରେ ପ୍ରସ୍ତାବ ରଖିବାକୁ ଉଭୟଙ୍କୁ କମିସନ କହିଥିଲେ ।

ଆଉ ଏଥିପାଇଁ ଏବେ ଦଳର ନୂଆ ନାମ ସହ ନିର୍ବାଚନୀ ଚିହ୍ନ କଣ ରଖାଯିବ ତାହାକୁ ନେଇ ଉଦ୍ଧବଙ୍କ କ୍ୟାମ୍ପରେ ଚର୍ଚ୍ଚା ଜୋର ଧରିଛି | ନିର୍ବାଚନ ଆୟୋଗର ସୂତ୍ରରୁ ପ୍ରକାଶ ଯେ ଶିବସେନାର ଉଦ୍ଧବ ଠାକରେ ଟିମ ମୁମ୍ବାଇର ଅନ୍ଧେରୀ (ପୂର୍ବ ) ଉପ-ନିର୍ବାଚନ ପାଇଁ ତିନୋଟି ନାମ ଏବଂ ପ୍ରତୀକ ତାଲିକା ଦାଖଲ କରିଛନ୍ତି।

ଏହାପୂର୍ବରୁ ଆୟୋଗଙ୍କ ତରଫରୁ ୧୯୭ଟି ନାମ ଏବଂ ପ୍ରତୀକ ତାଲିକାରୁ ଗୋଟିଏ ନାମ ରଖିବାକୁ କୁହାଯାଇଥିଲା | ତେବେ ଉଦ୍ଧବ ଦଳର ପ୍ରଥମ ପସନ୍ଦ ଦଳୀୟ ନାମ ‘ଶିବସେନା ବାଲାସାହେବ ଠାକରେ’ ଥିବାବେଳେ ଦ୍ୱିତୀୟ ପସନ୍ଦରେ ‘ଶିବସେନା ଉଦ୍ଧବ ବାଲାସାହେବ ଠାକରେ’ ନାମ ପରାମର୍ଶ ଦିଆଯାଇଛି। ସୂଚନାନୁସାରେ, ଉଦ୍ଧବ ଦଳର ନିର୍ବାଚନ ପ୍ରତୀକ ତ୍ରିଶୂଳ, ମଶାଲ କିମ୍ବା ଉଦୟ ସୂର୍ଯ୍ୟ ହୋଇପାରେ। ବାସ୍ତବରେ ଶନିବାର ସନ୍ଧ୍ୟାରେ ଉଦ୍ଧବଙ୍କ ଶିବିରର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଅନିଲ ପରବ କହିଥିଲେ ଯେ ଆମ ଦଳକୁ ନିର୍ବାଚନ ଆୟୋଗ ଦ୍ୱାରା ୧୯୭ଟି ପ୍ରତୀକ ଦିଆଯାଇଥିଲା ।

ସେଥିମଧ୍ୟରୁ ତିନୋଟି ପ୍ରତୀକ ବାବଦରେ ବିଚାର କରାଯାଉଛି | ସୂଚନା ଥାଉ କି ଯେ ଶିବସେନାର ଉଭୟ ଦଳ ସୋମବାର ଦିନ ଅପରାହ୍ନ ୧ଟା ସୁଦ୍ଧା ନିର୍ବାଚନ ଆୟୋଗଙ୍କ ନିକଟକୁ ସେମାନଙ୍କର ତିନିଟି ଚୂଡ଼ାନ୍ତ ପସନ୍ଦ ନାମ ଏବଂ ପ୍ରତୀକ ପଠାଇବାକୁ ପଡିବ। ଆଜି ଅପରାହ୍ନରେ ହେବାକୁ ଥିବା ବୈଠକରେ ଏହି ନାମ ଚୂଡାନ୍ତ ହୋଇପାରେ |

Related Posts