ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିଛି । ଏହି ସମୟରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଏକ ଭିଡିଓ ଶେୟାର କରି ଉଦ୍ଧବଙ୍କ ଉପରେ ରାଗ ଶୁଝାଇଛନ୍ତି। ତେବେ କଙ୍ଗନା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଭିଡିଓ ଶେୟାର କରିଛନ୍ତି। ଗୋଟିଏ ମିନିଟ୍ର ଏହି ଭିଡିଓରେ କଙ୍ଗନା ସ୍ପଷ୍ଟ ଭାବରେ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରୁଛନ୍ତି। କଙ୍ଗନା କହିଛନ୍ତି, ଯେତେବେଳେ ପାପ ବଢିଯାଏ, ସେତେବେଳେ ବିନାଶ ହୁଏ। ଏହାପରେ ସୃଜନ ହୁଏ ଏବଂ ଜୀବନର ନୂଆ ପଦ୍ମ ଫୁଟେ। ଯେଉଁମାନେ ଗର୍ବ କରନ୍ତି,ସେମାନଙ୍କ ଗର୍ବ ଭାଙ୍ଗିବା ନିଶ୍ଚିତ। ହନୁମାନ ଜୀଙ୍କୁ ଶିବଙ୍କର ଦ୍ୱାଦଶ ଅବତାର ବୋଲି ବିବେଚନା କରାଯାଏ।
ଶିବସେନା ହନୁମାନ ଚାଳିଶା ପାଠକୁ ବନ୍ଦ କରିବା ପରେ ଶିବ ତାଙ୍କୁ ରକ୍ଷା କରିପାରିଲେ ନାହିଁ। ସେପଟେ ୧୯୭୫ ପରେ ଏହି ସମୟ ଭାରତର ଗଣତନ୍ତ୍ରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ। ୨୦୨୦ରେ ମୁଁ କହିଥିଲି ଗଣତନ୍ତ୍ର ହେଉଛି ଏକ ବିଶ୍ୱାସ ଏବଂ ଯିଏ କ୍ଷମତାର ଗର୍ବରେ ଏହି ବିଶ୍ୱାସକୁ ଭାଙ୍ଗେ, ତାଙ୍କର ଗର୍ବ ମଧ୍ୟ ଭାଙ୍ଗିଯିବ ନିଶ୍ଚିତ। ଏହା କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିର ଶକ୍ତି ନୁହେଁ। ଏହା ହେଉଛି ସଚ୍ଚୋଟ ଚରିତ୍ରର ଶକ୍ତି। ହର ହର ମହାଦେବ, ଜୟ ହିନ୍ଦ, ଜୟ ମହାରାଷ୍ଟ୍ର।
୨୦୨୦, ସେପ୍ଟେମ୍ବରରେ ଉଦ୍ଧବ ସରକାରଙ୍କ ନିର୍ଦ୍ଦେଶରେ ବିଏମ୍ପି ପକ୍ଷରୁ ବେଆଇନ ନିର୍ମାଣ ଅଭିଯୋଗରେ ପୋଷପାଲି ହିଲରେ ଥିବା କଙ୍ଗନାଙ୍କ ମଣିକର୍ଣ୍ଣିକା ଫିଲ୍ମସ ଅଫିସରେ ଭଙ୍ଗାରୁଜା କରାଯାଇଥିଲା। ତେବେ ଏନେଇ କଙ୍ଗନା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ କୋର୍ଟ ଏହି ଭଙ୍ଗାରୁଜା ଉପରେ ରହିତାଦେଶ ଜାରି କରିଥିଲେ। ଏହାପରେ କଙ୍ଗନା କହିଥିଲେ, ଉଦ୍ଧବ ସରକାର ଆଜି ମୋ ଘର ଭାଙ୍ଗିଛ, କାଲି ତୁମ ଅହଙ୍କାର ଭାଙ୍ଗିବ। ଏବେ କଙ୍ଗନାଙ୍କ ପୂର୍ବର ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।
