ଭାରତରେ ପହଞ୍ଚିବା ପରେ କାନ୍ଦି କାନ୍ଦି ଆଫଗାନ ସାଂସଦ କହିଲେ – ‘ ୨୦ ବର୍ଷ ଧରି ଆମେ ଯାହା କିଛି କରିଥିଲୁ ସବୁ ଶେଷ ହୋଇଯାଇଛି ‘

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର : ଆଫଗାନିସ୍ତାନରେ ତାଲିବାନ ରାଜ୍ ଫେରିବା ପରେ ଭାରତୀୟ ବାୟୁସେନା ଲୋକଙ୍କୁ କାବୁଲରୁ ଉଦ୍ଧାର କାମ ଜାରି ରଖିଛି। ଭାରତୀୟ ମାନଙ୍କୁ ନେଇ ଆସୁଥିବା ସଙ୍ଗେ ସଙ୍ଗେ ଆଫଗାନିସ୍ତାନରେ ରହୁଥିବା ଶିଖ୍ ଏବଂ ହିନ୍ଦୁ ଲୋକଙ୍କୁ ମଧ୍ୟ ଉଦ୍ଧାର କରିବାର କାମ କରାଯାଉଛି। ରବିବାର ଭାରତୀୟ ବାୟୁସେନାର ସି-୧୭ ବିମାନ କାବୁଲରୁ ଗାଜିଆବାଦର ହିଣ୍ଡନ ଏୟାରବେସରେ ପହଞ୍ଚିଛି। ବିମାନରେ ୧୬୮ ଜଣ ଲୋକ ଥିଲେ, ଯେଉଁଥିରେ ୧୦୭ ଭାରତୀୟ ନାଗରିକ ଅଛନ୍ତି। ଯେଉଁମାନଙ୍କୁ ଉଦ୍ଧାର କରାଯାଇଛି, ସେଥିରେ ଆଫଗାନିସ୍ତାନର ଜଣେ ଶିଖ୍ ଏବଂ ହିନ୍ଦୁ ନାଗରିକ ମଧ୍ୟ ସାମିଲ୍ ଅଛନ୍ତି।

ଶିଖ ସାଂସଦଙ୍କ ଆଖିରୁ ଲୁହ 

ଆଫଗାନିସ୍ତାନରୁ ସୁରକ୍ଷିତ ଭାବେ ଭାରତରେ ପହଞ୍ଚିବା ପରେ ଆଫଗାନ ଶିଖ୍ ସାଂସଦ ନରେନ୍ଦ୍ର ସିଂହ ଖାଲସା ଏୟାରବେସ୍ ଠାରେ ମିଡିଆ କର୍ମୀଙ୍କ ଆଗରେ ଭୋ ଭୋ ହୋଇ କାନ୍ଦି ପକାଇଥିଲେ। ସେ ଆଫଗାନିସ୍ତାନରେ ସାମ୍ପ୍ରତିକ ପରିସ୍ଥିତି ବଖାଣି ନିଜର ଭାବନାକୁ ରୋକିପାରିନଥିଲେ। ସେ କହିଛନ୍ତି, ଜଣେ ସାଂସଦ ଭାବେ ଦେଶ ଛାଡ଼ିବା କଥା ଭାବି ମୋତେ କାନ୍ଦ ଲାଗୁଛି। ଗତ ୨୦ ବର୍ଷ ଧରି ଯେଉଁ ସରକାର ଗଠନ ହୋଇଥିଲା, ତାହା ସବୁ ଶେଷ ହୋଇଯାଇଛି। ଏବେ ସବୁକିଛି ଶୂନ। ବିମାନବନ୍ଦରରେ ପରିସ୍ଥିତିକୁ ବର୍ଣ୍ଣନା କରି ସେ କହିଛନ୍ତି ଯେ ପ୍ରତ୍ୟେକ ଫାଟକରେ ୫ ହଜାରରୁ ୬ ହଜାର ଲୋକ ଠିଆ ହୋଇଥିଲେ। ତାଲିବାନୀମାନେ ମଧ୍ୟ ଭିତରକୁ ଆସିଥିଲେ।  ଅନ୍ୟପକ୍ଷରେ, ଭଲ ଲୋକ କିଏ, ଖରାପ ଲୋକ କିଏ ତାହା ଜଣା ପଡି ନଥିଲା।

ଖାଲସା ୨୩ ଆଫଗାନିସ୍ତାନ ଶିଖ ଏବଂ ହିନ୍ଦୁ ନାଗରିକଙ୍କ ମଧ୍ୟରୁ ଅନ୍ୟତମ, ଯେଉଁମାନେ ରବିବାର ଦିନ C-17 ଗ୍ଲୋବାମାଷ୍ଟର ମାଧ୍ୟମରେ ଭାରତକୁ ଅଣାଯାଇଥିଲା । ସେ ଆହୁରି କହିଛନ୍ତି, ଯେଉଁ ଆଫଗାନିସ୍ତାନରେ ଆମେ ପିଢି ପିଢି ଧରି ରହିଆସୁଥିଲୁ, କେବେବି ଏଭଳି ପରିସ୍ଥିତି ଦେଖିନଥିଲୁ। ଏବେ ସେଠାରେ ସବୁକିଛି ଶେଷ ହୋଇଯାଇଛି। ସେହିପରି ଆଫଗାନିସ୍ତାନ ଛାଡ଼ିବା ପୂର୍ବରୁ ନରେନ୍ଦ୍ର ସିଂହ ଖାଲସା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଥିଲେ।

ନରେନ୍ଦ୍ର ସିଂହ ଖାଲସାଙ୍କ ପିତା ଅବତାର ଗିଲ୍ ୨୦୧୮ରେ ଜଲାଲାବାଦରେ ହୋଇଥିବା ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିଲେ। ଖାଲସା କହିଛନ୍ତି, ଏଭଳି କଠିନ ସମୟରେ ଆଫଗାନିସ୍ତାନରୁ ସଂଖ୍ୟାଲଘୁଙ୍କୁ ଉଦ୍ଧାର କରାଯିବା ଜରୁରୀ ଥିଲା। ଭାରତ ସରକାର ଆମ ସହ ଛିଡ଼ା ହୋଇଥିବାରୁ ବହୁତ ଧନ୍ୟବାଦ।

Related Posts