କାବୁଲ ଏୟାରପୋର୍ଟ ନିକଟରେ ଦଳଚକଟା, ୭ ଆଫଗାନ ନାଗରିକ ମୃତ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର : ଆଫଗାନିସ୍ତାନରେ ସ୍ଥିତି ଦିନକୁ ଦିନ ଭୟାବହ ରୂପ ଧାରଣ କରିବାରେ ଲାଗିଛି। ଲୋକେ ଦେଶ ଛାଡ଼ି ଚାଲିଯିବା ପାଇଁ ବିମାନବନ୍ଦର ମୁହାଁ ହେଉଛନ୍ତି। ଯେଉଁ କାରଣରୁ ବିପୁଳ ସଂଖ୍ୟାର ଲୋକ କାବୁଲ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚୁଛନ୍ତି। ଏହାରି ‍‍‍ଭିତରେ ରବିବାର କାବୁଲ୍ ଏୟାରପୋର୍ଟ ନିକଟରେ ବଡ଼ ଧରଣର ଅଘଟଣ ଘଟିଛି। ପ୍ରବଳ ଭିଡ଼ ଭିତରେ ଦଳଚକଟା ଯୋଗୁଁ , ଯେଉଁଥିରେ ୭ ଆଫଗାନି ନାଗରିକଙ୍କର ମୃତ୍ୟୁ ହୋଇଥିବା ନେଇ ବ୍ରିଟିଶ ସେନା ପକ୍ଷରୁ ଏହାର ସୂଚନା ଦିଆଯାଇଛି।

ପ୍ରତିରକ୍ଷା ମନ୍ତ୍ରାଳୟ ରବିବାର ଏକ ବିବୃତିରେ କହିଛି ଯେ, କାବୁଲ ବିମାନବନ୍ଦରର ଅବସ୍ଥା ଅତ୍ୟନ୍ତ ଖରାପ ଅଛି | କିନ୍ତୁ ସ୍ଥାନାନ୍ତର ପ୍ରକ୍ରିୟାକୁ ଯଥା ସମ୍ଭବ ସୁରକ୍ଷିତ ଏବଂ ନିରାପଦରେ ପରିଚାଳନା କରିବା ପାଇଁ ଆମେ ସବୁ ପ୍ରକାର ଚେଷ୍ଟା କରୁଛୁ। କୁହାଯାଉଛି ଯେ କିଛି ତାଲିବାନୀ ଏୟାରପୋର୍ଟରେ ଅଚାନକ ଅତର୍କିତ ଗୁଳି ବର୍ଷା କରିଥିଲେ। ଯାହା ଭୟରେ ଭିଡ଼ ଭିତରେ ଲୋକମାନେ ଦୌଡ଼ିବା ଆରମ୍ଭ କରିଥିଲେ। ଏହି ସମୟରେ ଦଳଚକଟା ଘଟିବାରୁ ୭ଜଣଙ୍କର ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, କାବୁଲରେ ତାଲିବାନର କବଜା ପରେ ସ୍ଥିତି ବିଗିଡିବାରେ ଲାଗିଛି। ରବିବାର ଆଫଗାନିସ୍ତାନର ରାଜଧାନୀ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିବାର ସୂଚନା ରହିଛି। ବିଶେଷକରି ମନ୍ତ୍ରାଳୟ, ପାସପୋର୍ଟ ବିଭାଗ ଓ ବ୍ୟାଙ୍କ ଭଳି ସରକାରୀ ଓ ପ୍ରାଇଭେଟ୍ କାର୍ଯ୍ୟାଳୟ ବନ୍ଦ ହେବା ଦ୍ୱାରା ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଜଣା ପଡ଼ିଛି। ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ଆମେରିକା ଓ ତା’ର ସହଯୋଗୀ ସପ୍ତାହେ ଧରି ବିପୁଳ ସଂଖ୍ୟାରେ ଲୋକଙ୍କୁ ଉଦ୍ଧାର କରିବା ପାଇଁ ସଂଘର୍ଷ ଚଳାଇଛନ୍ତି। ଏହା ମଧ୍ୟରେ ଭାରତ ଆଜି ୧୬୮ ଜଣ ଯାତ୍ରୀଙ୍କୁ ଭାରତ ଆଣିଛି ଯେଉଁଥିରେ ୧୦୭ ଜଣ ଭାରତୀୟ ନାଗରିକ ଅଛନ୍ତି। 

Related Posts