ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ମଧ୍ୟରେ ଟ୍ୱିଟ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଏହାରି ଭିତରେ କେଜରିୱାଲ୍ ଶର୍ମାଙ୍କୁ ତାଙ୍କ ରାଜ୍ୟର ସରକାରୀ ସ୍କୁଲ୍ର ଅବସ୍ଥା ନେଇ କଟାକ୍ଷ କରିଛନ୍ତି। ଆସାମର ସରକାରୀ ସ୍କୁଲ୍ ଦେଖିବାକୁ କେବେ ଡାକିବ ବୋଲି କେଜରିୱାଲ୍ ହିମନ୍ତ ବିଶ୍ୱ ଶର୍ମାଙ୍କୁ ପ୍ରଶ୍ନ କରିଛନ୍ତି। ତେବେ ଗତ ୩ ଦିନ ହେଲା ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏମିତି ଟ୍ୱିଟର ୱାର୍ ଜାରି ରହିଛି। ଆସାମର କିିଛି ସ୍କୁଲ୍ ବନ୍ଦ ହେବା ନେଇ ଏକ ଖବର ଶେୟାର କରି କେଜରିୱାଲ୍ ଟ୍ୱିଟ୍ କରି ଆସାମ ସରକାରଙ୍କର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଥିଲେ। ସେ ଟ୍ୱିଟ୍ କରି କହିଥିଲେ ଯେ ସ୍କୁଲ୍ ବନ୍ଦ କରିବା କୌଣସି ସମସ୍ୟାର ସମାଧାନ ନୁହେଁ। ବରଂ ଦେଶରେ ଅଧିକ ସ୍କୁଲ୍ ଖୋଲିବାର ଆବଶ୍ୟକତା ଅଛି। ଆସାମର କିଛି ସ୍କୁଲ୍ ବନ୍ଦ କରିଦିଆଯାଇଥିବା ଏକ ଖବରକୁ ଶେୟାର କରିବା ସହ ଆସାମ ସରକାରଙ୍କୁ ଏଭଳି ଟାର୍ଗେଟ୍ କରିଥିଲେ କେଜରିୱାଲ।
ଆଉ ଶୁକ୍ରବାର ହେମନ୍ତ ବିଶ୍ୱ ଶର୍ମା ଗୋଟିଏ ପରେ ଗୋଟିଏ ଟ୍ୱିଟ୍ କରି କେଜରିୱାଲ୍ଙ୍କ ଉତ୍ତର ଦେଇ ତାଙ୍କର ମଜାକ ଉଡାଇଥିଲେ। ଶ୍ରୀ ଶର୍ମା ଦିଲ୍ଲୀ ଓ ଆସାମର ଫରକ ବତାଇ କେଜରିୱାଲ୍ଙ୍କ ମଜାକ ଉଡ଼ାଇଥିଲେ। ଶର୍ମା ଲେଖିଥିଲେ ‘ ପ୍ରିୟ କେଜରିୱାଲ୍ ଜୀ। ଆପଣଙ୍କ ଅଜ୍ଞାନତା ଦେଖି ଦୁଃଖ ଲାଗୁଛି। ଆସାମ ଦିଲ୍ଲୀ ଠାରୁ ୫ ଗୁଣା ବଡ଼। ଆମର ଏଠି ୪୪,୫୨୧ ସ୍କୁଲରେ ୬୫ ଲକ୍ଷ ପିଲା ପଢ଼ନ୍ତି। ଆଉ ଆପଣଙ୍କର ସେଠି ହଜାରେ କିଛି ଅଧିକ ସ୍କୁଲ ଅଛି। ଆମର ଏଠି ଦୁଇ ଲକ୍ଷରୁ ଅଧିକ ଶିକ୍ଷକ ସେନା ଅଛି ଓ ୧.୮ ଲକ୍ଷ ମଧ୍ୟହ୍ନ ଭୋଜନର କର୍ମଚାରୀ ବି ଅଛନ୍ତି।’
ଆଉ ଏକ ଟ୍ୱିଟ୍ କରି ଶର୍ମା ଲେଖିଥିଲେ ‘ଶୁଣନ୍ତୁ ଯେବେ ଆପଣ ଆସାମରେ ଥିବେ ସେତେବେଳେ ମୁଁ ଆପଣଙ୍କୁ ଆମର ମେଡିକାଲ କଲେଜଗୁଡ଼ିକୁ ବୁଲେଇ ନେବି। ଆପଣଙ୍କର ମହଲ୍ଲା କ୍ଲିନିକ୍ରୁ ଏକ ହଜାର ଗୁଣ ଉନ୍ନତମାନର। ଆପଣ ଆମର ପ୍ରତିଭାଶାଳୀ ଶିକ୍ଷକ ଓ ଛାତ୍ରଛାତ୍ରଙ୍କୁ ଭେଟିବେ। ଆଉ ହଁ ଆପଣ ଦେଶକୁ ଏକ ନମ୍ବର ବନାଇବା ଚିନ୍ତା ଛାଡ଼ି ଦିଅନ୍ତୁ। ସେ କାମ ମୋଦୀ ଜୀ କରୁଛନ୍ତି।’
ଆଜି ଦିଲ୍ଲୀର ଉନ୍ନତ ଶିକ୍ଷା ବ୍ୟବସ୍ଥାକୁ ଦେଖାଇ ହେମନ୍ତ ବିଶ୍ୱ ଶର୍ମାଙ୍କୁ ଆଉ ଟିକେ ଚିଡ଼ାଇଛନ୍ତି କେଜରିୱାଲ୍। ଟ୍ୱିଟ୍ କରି କେଜରିୱାଲ୍ ଆସାମର ସରକାରୀ ସ୍କୁଲ ଦେଖିବାକୁ ମୋତେ କେବେ ଡାକିବେ ? ବୋଲି ହେମନ୍ତ ଙ୍କୁ ପଚାରି କଟାକ୍ଷ କରିଛନ୍ତି।
