କୁଆଡେ ଗଲେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ? କ୍ୱାଟର୍ସରେ ଚଢାଉ କରି ଖାଲି ହାତରେ ଫେରିଲା ପୁଲିସ

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ଅଡୁଆରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। କୁଆଡେ ଗଲେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ? ଭୁବନେଶ୍ବର ସ୍ଥିତ ବିଧାୟକଙ୍କ ସରକାରୀ ବାସଭବନରେ ପୋଲିସ ଚଢଉ କରିଥିଲେ ସୁଦ୍ଧା ଚିଲିକା ବିଧାୟକଙ୍କର କୌଣସି ପତ୍ତା ପାଉନି ପୋଲିସ । ଗତକାଲି ଅପରାହ୍ନରେ ପୁଲିସ ପ୍ରଶାନ୍ତଙ୍କ କ୍ୱାର୍ଟରରୁ ଖାଲି ହାତରେ ଫେରିଥିବା ଜଣା ପଡ଼ିଛି । ତେବେ ପୁଲିସ ପକ୍ଷରୁ ଚାଲିଆଡେ ଚଢାଉ ଜାରି ରହିଛି । ବିଜେଡିରୁ ନିଲମ୍ବିତ ହେବା ପରେ ଦବଙ୍ଗ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପତ୍ତା ମିଳୁନି । ସେ କୁଆଡେ ଫେରାର ହୋଇଯାଇଥିବା ବେଳେ ପୋଲିସ ତାଙ୍କର ସରକାରୀ କ୍ବାର୍ଟୀରରେ ଚଢଉ କରିଥିଲେ ସୁଦ୍ଧା ସେ ସେଠାରେ ନଥିବା ଜଣାପଡିଛି । ପ୍ରଶାନ୍ତ ଜଗଦ୍ଦେବଙ୍କ ମୋବାଇଲ ମଧ୍ୟ ସ୍ୱିଚ ଅଫ ରହିଥିବା ସୂଚନା ମିଳିଛି । 

ସୂଚନଯୋଗ୍ୟ ଯେ , ବାଲୁଗାଁ ଏନଏସି ଅଫିସରେ ବିଜେପି ନେତାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜେଡି ଦଳରୁ ନିଲମ୍ବିତ କରିଥିଲା। ମାଡ ମାରିବା ଅଭିଯୋଗରେ ବିଧାୟକଙ୍କ ବିରୋଧରେ ଥାନାରେ ଅଭିଯୋଗ ବି ହୋଇଛି । ବାଲୁଗାଁ ଏସଡିପିଓଙ୍କୁ ଏହି ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଛି । ଗତକାଲି ପୁଲିସ ପ୍ରଶାନ୍ତଙ୍କ ଭୁବନେଶ୍ୱର ସ୍ଥିତ କ୍ବାର୍ଟରକୁ ଆସିଥିଲା କିନ୍ତୁ ସେଠାରୁ ଖାଲି ହାତରେ ଫେରିଥିଲା। ଫଳରେ ପ୍ରଶାନ୍ତଙ୍କ କିଛି ସହଯୋଗୀଙ୍କୁ ପୁଲିସ ପଚରାଉଚରା କରିଥିବା ଜଣାଯାଇଛି ।

ତେବେ ସୂଚନା ଥାଉକି , ବାଲୁଗାଁ ଏନ୍‌ଏସି କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ରାସନକାର୍ଡ ବଂଟନ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଯୋଗ ଦେବାକୁ ପହଂଚିଥିଲେ । ତେବେ ସ୍ଥାନୀୟ ବିଜେପିର ନଗର ମଣ୍ଡଳ ସଭାପତି ନିରଂଜନ ସେଠୀଙ୍କ ନେତୃତ୍ୱରେ ବିଜେପିକର୍ମୀମାନେ ବିଧାୟକଙ୍କୁ ସେହି କାର୍ଯ୍ୟକ୍ରମରେ ଯୋଗ ଦାନକୁ ବିରୋଧ କରିଥିଲେ । କାର୍ଯ୍ୟାଳୟ ଫାଟକ ସାମ୍ନାରେ ବିରୋଧ କରି ବିଧାୟକଙ୍କୁ ସେଥି ମଧ୍ୟକୁ ପଶିବାକୁ ଦେଇନଥିଲେ । ଏହାକୁ ନେଇ ବିଧାୟକ ଓ ବିଜେପି ମଣ୍ଡଳ ସଭାପତିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ତେବେ ଏହି ସମୟରେ ବିଧାୟକ ରାଗି ଯାଇ ମଣ୍ଡଳ ସଭାପତିଙ୍କୁ ମାରିବାପାଇଁ ହାତ ଉଠାଇଥିଲେ । ଏହାକୁ ନେଇ ଉଭୟଙ୍କ ସମର୍ଥକଙ୍କ ମଧ୍ୟରେ ୧୦ ରୁ ୧୫ ମିନିଟ୍‌ ଧରି ପରସ୍ପର ଗାଳିଗୁଲଜ କରିବା ସହ ଧସ୍ତାଧସ୍ତି ହୋଇଥିଲା। ଏହି ଘଟଣାରେ ନିରଂଜନ ସେଠୀଙ୍କ ପକ୍ଷରୁ ବିଧାୟକ ଜଗଦ୍ଦେବଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ ଦିଆଯାଇଥିଲା ।

Related Posts