ଲୋକଙ୍କ ଉପରେ ଗାଡ଼ି ମଡ଼ାଇବା ଘଟଣାରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପ୍ରତିକ୍ରିୟା; “ମୁଁ ଆଦୌ ଅନୁତପ୍ତ ନୁହେଁ”

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବାଣପୁରରେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇଦେବା ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଜାମିନ ପାଇ ବିଧାୟକ ଜେଲରୁ ମୁକୁଳିବା ପରେ କହିଛନ୍ତି, ମୁଁ ଘଟଣାକୁ ନେଇ ଆଦୌ ଅନୁତପ୍ତ ନୁହେଁ । ମୋର ଏହି ଘଟଣାରେ କିଛି ଭୁଲ ନାହିଁ ବୋଲି କହିଛନ୍ତି ପ୍ରଶାନ୍ତ ଜଗଦ୍ଦେବ । ତାହା ସହ ସେ ଆହୁରି କହିଛନ୍ତି କି, ବାଣପୁରରେ ବିଜେପି କର୍ମୀମାନେ ଯୋଜନାବଦ୍ଧ ଭାବେ ଆକ୍ରମଣ କରିଥିଲେ ।ବ୍ଲକ ଅଫିସ ନିକଟରେ ଏହି କାଣ୍ଡ ଘଟିଥିଲା । ମୋତେ ଜୀବନରୁ ମାରି ଦେବାକୁ ଉଦ୍ୟମ କରାଯାଇଥିଲା । ଠେଙ୍ଗାରେ ମୋତେ ପ୍ରବଳ ମାଡ଼ ମରାଯାଇଥିଲା । ମାଡ଼ରେ ମୋର ଚେତାଶୂନ୍ୟ ହୋଇଯିବାରୁ ଏକ୍ସିଲେଟରରେ ଗୋଡ଼ ଚାପି ହୋଇଯାଇଥିଲା ।ତାହାଛଡ଼ା ଗାଡ଼ିରେ ମଦ ବୋତଲ ଓ ନମ୍ବର ପ୍ଲେଟ୍‍ ବଦଳ କାର୍ଯ୍ୟ ବି ବିଜେପିର ଷଡ଼ଯନ୍ତ୍ର ଥିଲା ବୋଲି ସେ କହିଛନ୍ତି । ମୁଁ ଘଟଣାସ୍ଥଳରେ ମଦ୍ୟପାନ କରିନଥିଲି ।ମଦ୍ୟପାନ କେବେଠାରୁ ଛାଡ଼ି ସାରିଛି । ସକାଳ ୭ଟାରୁ କିଏ ମଦ ପିଏ ବୋଲି ମଧ୍ୟ କହିଛନ୍ତି ବିଧାୟକ ।

ଏହା ସହିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ନିଜ ପ୍ରତିକ୍ରିୟାରେ ଦଳ କଥା ମଧ୍ୟ ଉଠାଇଛନ୍ତି । ଦଳ ବହିଷ୍କାର କରିଛି, କିନ୍ତୁ ପୁଣି ଥରେ ଦଳ ତାଙ୍କୁ ଗ୍ରହଣ କରି ଟିକେଟ୍‍ ଦେବ ବୋଲି ସେ ଆଶା ରଖିଥିବା କହିଛନ୍ତି । ଖାଲି ଏତିକି ନୁହେଁ, ସ୍ୱାଧୀନ ଭାବେ ସେ କେବେ ଲଢ଼ିବେ ନାହିଁ । ଦଳର ନେତା ଯାହା ନିଷ୍ପତ୍ତି ନେବେ ତାହା କାର୍ଯ୍ୟକାରୀ କରିବେ ବୋଲି ସେ କହିଛନ୍ତି । ମୁଁ ଏବେ ବି ଅନୁଭବ କରୁଛି ମୁଁ ବିଜେଡିରେ ଅଛି । ମୁଁ ଶୁଙ୍ଖଳିତ ବୋଲି ଦଳ ହୃଦ୍‍ବୋଧ କଲେ ମୋତେ ପୁଣି ଦାୟିତ୍ୱ ଦେବ ବୋଲି ଆଶା କରୁଛି ବୋଲି କହିଛନ୍ତି ପ୍ରଶାନ୍ତ ଜଗଦେବ।

Related Posts