
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଏନଏଚଏଆଇର ଅପାରଗତା ଯୋଗୁଁ ଇତିହାସ ପାଲଟିଲା ବ୍ରିଟିଶ ଅମଳର ପୁରୁଣା ପୋଲ। ପ୍ରାୟ ୧୦୦ ବର୍ଷ ପୁରୁଣା ପୋଲ ଭାଙ୍ଗି ଯାଇଛି। ଏଭଳି ଏକ ଘଟଣା ଘଟିଛି ସମ୍ବଲପୁର କୁଚିଣ୍ଡା ସହରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୪୯ ଖର୍ଲା ନଦୀ ଉପରେ ୧୯୦୫ ମସିହାରେ ନିର୍ମିତ ସଂକୀର୍ଣ୍ଣ ପୋଲରେ।
ମିଳିଥିବା ସୂଚନା ମୁତାବକ , କେନ୍ଦୁଝରରୁ ସ୍ପଞ୍ଜ ଲୁହାପଥର ନେଇ ଏକ ଟ୍ରକ୍ ଦେବଗଡ଼ ପଟୁ କୁଚିଣ୍ଡା ପଟକୁ ଆସୁଥିଲା। ୧୬ ଟନ ଓଜନର ଲୁହାପଥର ବୋଝେଇ ଟ୍ରକ୍ ଟି ଏନଏଚ ୪୯ କୁଚିଣ୍ଡା ସହର ନିକଟସ୍ଥ ଖର୍ଲା ନଦୀ ଉପରେ ନିର୍ମିତ ଏହି ପୋଲରେ ବାଡେଇ ହୋଇଯାଇଥିଲା। ଫଳରେ ବ୍ରିଜ ଗୋଟିଏ ସ୍ପାମରୁ ଲୁହା ଖସି ଯିବା କାରଣରୁ ପୋଲଟି ଭୁଷୁଡି ପଡିଥିଲା। ଏହା ସହ ଟ୍ରକ ଟି ବି ନଦୀ ଭିତରେ ପଡ଼ିଯାଇଥିଲା।
ଏହା ପରେ ଘଟଣା ସ୍ଥଳରେ ଦମକଳ ବାହିନୀ, ପୋଲିସ ଏସଡିପିଓ, ଆଇଆଇସି, ଉପଜିଲ୍ଲାପଳ ପହଞ୍ଚି ଥିଲେ। ଟ୍ରକ ହେଲପରକୁ ଦମକଳ ବାହିନୀ ସଙ୍ଗେ ସଙ୍ଗେ ଉଦ୍ଧାର କରି ବୁର୍ଲା ସ୍ଥାନାନ୍ତରିତ କରିଥିଲେ। ସେହିପରି ଗାଡି ଷ୍ଟିୟରିଂରେ ଚାପିହୋଇଯାଇଥିବା ଡ୍ରାଇଭର (ସନ୍ତୋଷ ଲାକ୍ରା) ଙ୍କୁ ଆଜି ସକାଳେ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ତେବେ ଝୂଲେନ ପୋଲ ଟି ବହୁ ବର୍ଷ ପୁରୁଣା ଦୁର୍ବଳ ଲୁହା ପୋଲ । ଏହାର ମରାମତି କରାନଯାଇ ବହୁ ଓଜନିଆ ଗାଡ଼ି ବ୍ରିଜ ଉପରେ ଚଳାଚଳ କରୁଥିଲା। ଏନଏଚଆଇ କର୍ତ୍ତୃପକ୍ଷଙ୍କୁ ବ୍ରିଜ ଭାଙ୍ଗିଯିବ ବୋଲି ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ସେମାନେ ଏହାକୁ ଗୁରୁତ୍ବ ଦେଇ ନ ଥିଲେ। ଫଳରେ ବ୍ରିଜ ଭାଙ୍ଗି ଇତିହାସ ପାଲଟି ଯାଇଛି।
ବ୍ରିଜ ଭାଙ୍ଗିବା ପରେ କୁଚିଣ୍ଡା ସହରାଞ୍ଚଳ ବ୍ୟବହାର କରୁଥିବା ରାସ୍ତାବନ୍ଦ ହୋଇଛି। ଏପଟେ ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି ଯେ, ଯଦି ଏକ ବିକଳ୍ପ ରାସ୍ତା କରାନଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନ ହେବ । କୁଚିଣ୍ଡା ଉପଜିଲ୍ଲାପାଳ, ସ୍ଥାନୀୟ ଜନସାଧାରଣ, ଏନଏସି କର୍ମଚାରୀ, ଅଗ୍ନିଶମ, ପୂର୍ତ୍ତ ବିଭାଗ, ଏନଏଚଆଇ ପକ୍ଷରୁ ଅସମ୍ପୂର୍ଣ୍ଣ ନୂତନ ବ୍ରିଜକୁ ମରାମତି କରାଯାଇ ଆଜି ସକାଳ ୬ଟାରୁ ଜାତୀୟ ରାଜପଥ ୪୯ରେ ଯାତାୟାତ ସ୍ବାଭାବିକ କରାଯାଇଛି।